ଅବସରପ୍ରାପ୍ତ ମୁଖ୍ୟ କିରାଣି ତେଜରାଜ ପ୍ରଧାନଙ୍କ ପରଲୋକ
Retair clerk passed away
ଅବସରପ୍ରାପ୍ତ ମୁଖ୍ୟ କିରାଣି ତେଜରାଜ ପ୍ରଧାନଙ୍କ ପରଲୋକ


ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣି (ହେଡ୍ କ୍ଲର୍କ) ତେଜରାଜ ପ୍ରଧାନଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଶ୍ୱାସଜନିତ ଅସୁସ୍ଥତାରେ ପୀଡ଼ିତ ହୋଇ କିଛିଦିନ ଧରି ବୁର୍ଲାସ୍ଥିତ ଭିମସାର୍ରେ ଚିକିତ୍ସାଧୀନ ଥିଲେ। ଶେଷରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡ଼ିଛି। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବନ୍ଧୁ ପରିଜନ ଆସି ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ। ଆଜି ସରବାହାଲ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ପ୍ରଦୀପ ପ୍ରଧାନ ମୁଖାଗ୍ନି ଦେଇଥିଲେ।

ସ୍ୱର୍ଗତ ପ୍ରଧାନ ୧୯୪୫ ଏପ୍ରିଲ ୧୫ ତାରିଖରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଠରକସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ କର୍ମମୟ ଜୀବନରେ ସେ ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ଜଣେ ସଚ୍ଚୋଟ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ଭାବେ ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ସରକାରୀ ଚାକିରି ବ୍ୟତୀତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଥିଲା। ସେ ଜଣେ ଜାତୀୟ ସ୍ତରର ବ୍ରିଜ୍ ଖେଳାଳି ଭାବେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande