
କେନ୍ଦୁଝର, ୧୪ ନଭେମ୍ବର (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟର ଇ-ଲାଇବ୍ରେରୀ କକ୍ଷରେ ବୁଧବାର ଦିନ ‘ଶକ୍ତିଶ୍ରୀ ସଶକ୍ତିକରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର, କୁଳସଚିବ ପ୍ରତିଭା ପୃଷ୍ଟି ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ଉପସ୍ଥିତ ରହିଥିଲେ। ଆଲୋଚନାଚକ୍ରରେ ବିଷୟ ବିଶେଷଜ୍ଞ ଭାବେ ଧରଣୀଧର ମେଡିକାଲ କଲେଜର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଶାଶ୍ୱତୀ ସୁଚରିତା ପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ଓ ଆତ୍ମବିଶ୍ୱାସର ମହତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଜୀବନରେ ବିଭିନ୍ନ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଭାଙ୍ଗି ନପଡ଼ି ଦୃଢ଼ ମନୋବଳ ସହ ଆଗକୁ ବଢ଼ିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ମୋବାଇଲ୍ ଫୋନ୍ର ଅତ୍ୟଧିକ ବ୍ୟବହାର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଉପରେ କିପରି ନକାରାତ୍ମକ ପ୍ରଭାବ ପକାଉଛି, ସେ ସମ୍ପର୍କରେ ମଧ୍ୟ ସେ ସଚେତନ କରାଇଥିଲେ। ଏହି ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରାଧ୍ୟାପିକା ଡକ୍ଟର ଅନୁପମା ଦାଶ ଧନ୍ୟବାଦ ଅର୍ପଣ କରିବା ସହ ଆଲୋଚନାଚକ୍ରର ପରିସମାପ୍ତି ଘୋଷଣା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA