
କେନ୍ଦୁଝର, ୧୪ ନଭେମ୍ବର (ହି.ସ.) - ଶିଶୁ ଦିବସ ଅବସରରେ ଆଜି କେନ୍ଦୁଝରସ୍ଥିତ ଚକ ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ‘କୋଟିଏ ହସ’ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ଆତ୍ମବିଶ୍ୱାସର ବିକାଶ ସହ ସେମାନଙ୍କ ପାଇଁ ଏକ ଆନନ୍ଦମୟ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାନୁମତୀ ବେହେରା, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାନମଣି ହାଁସଦା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିସ୍ ସୁଧା ଗୋସ୍ୱାମୀ, ଆଇସିଡିଏସ୍ ସେଲ୍ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ବାସନ୍ତୀ ମହାନ୍ତ, ସଦର ଆଇସିଡିଏସ୍ ପ୍ରକଳ୍ପର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ବେହେରା, ଆଇଡିଏର ସଚିବ ସେବତୀ ସିଂହ ଏବଂ ପୋଷଣ ଅଭିଯାନର ଜିଲ୍ଲା ସଂଯୋଜକ ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ବିଭାଗୀୟ ଅଧିକାରୀ, ମହିଳା ପରିଦର୍ଶିକା, ଅଙ୍ଗନୱାଡ଼ି କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ପୁରୁଷ ଅଭିଭାବକମାନଙ୍କ ସକ୍ରିୟ ଅଂଶଗ୍ରହଣ। ସେମାନେ ନିଜ ହାତରେ ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳନା ପ୍ରସ୍ତୁତ କରିଥିଲେ। ଶିଶୁଙ୍କ ଲାଳନପାଳନ ଓ ପ୍ରାରମ୍ଭିକ ଶିକ୍ଷାରେ ମା'ଙ୍କ ସହ ପିତାଙ୍କର ମଧ୍ୟ ସମାନ ଭୂମିକା ରହିଛି ବୋଲି ଏହା ମାଧ୍ୟମରେ ଏକ ସକାରାତ୍ମକ ସାମାଜିକ ବାର୍ତା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ଓ ସାମଗ୍ରିକ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏଥିସହ ଶିଶୁମାନଙ୍କ ମଧ୍ୟରେ ସଙ୍ଗୀତ, ଗଳ୍ପ କଥନ, ଚିତ୍ରାଙ୍କନ, ନୃତ୍ୟ ଓ ଅଭିନୟଭିତିକ ଗୀତ ଆଦି ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁ ଓ ଅଭିଭାବକମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଉପସ୍ଥିତ ସମସ୍ତ ଶିଶୁଙ୍କୁ ଉପହାର ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ପରିବାର, ସମାଜ ଓ ପ୍ରଶାସନର ସମୂହ ଭାଗୀଦାରିର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA