
ଜୟପୁର, ୧୪ ନଭେମ୍ବର(ହି.ସ.) – କୋରାପୁଟ ଜିଲାରେ ରଙ୍ଗବେରଙ୍ଗ ମିଠା, ଚମକୁଥିବା ଷ୍ଟଲ, ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଖାଦ୍ୟ ସାମଗ୍ରୀ। ବାହାରୁ ଦେଖିଲେ ସବୁ ଆକର୍ଷଣୀୟ। କିନ୍ତୁ ଭିତରେ ଲୁଚି ରହିଛି ବିପଦ। କୋରାପୁଟ ଜିଲା ଜୟପୁର, କୋରାପୁଟ, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା, କୋଟପାଡ, ଲମତାପୁଟ, ପଟଙ୍ଗୀ, ନନ୍ଦପୁର ଲକ୍ଷ୍ମୀପୁର ବଜାରରେ ଏବେ ଅପମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟର ପସରା ବଢୁଛି। ଏହାକୁ ନେଇ ସାଧାରଣରେ ଉଦବେଗ ଦେଖାଦେଇଛି। ଜିଲାର ଗ୍ରାମାଂଚଳ ହେଉଛି ସହରାଂଚଳ ଅଂଚଳରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ। ସ୍ଥାନୀୟ ଅଂଚଳରେ ତିଆରି ହୋଇ ବିକ୍ରି ହେଉଥିବା ପାଉଁରୁଟି, ପାଣି ବୋତଲ, ପ୍ୟାକେଟ ଆଇସିକ୍ରିମ, କେକ ଆଦିର ପ୍ୟାକେଟରେ ନିର୍ମାଣ ତାରିଖ, ବ୍ୟବହାର ସମୟ ସୀମା ବା ଏକ୍ସପାୟରୀ ଡେଟ୍ କିଛି ଲେଖା ନାହିଁ। ଗ୍ରାହକ ଜାଣି ପାରୁନାହାନ୍ତି ଏହା କେବେ ତିଆରି ହୋଇଛି ଓ କେବେ ଖାଇବା ଅଯୋଗ୍ୟ ହେବ। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଛୋଟ ବଡ ଜଳଖିଆ ଦୋକାନ ଓ ହୋଟେଲରେ ଚାଟ, ଜିଲାପି, ପକୁଡି, ପକୋଡା ଆଦି ଫାଷ୍ଟଫୁଡରେ ବହୁଳ ମାତ୍ରାରେ ରାସାୟନିକ ରଙ୍ଗ ମିଶାଯାଉଛି । ଏକା ପୋଡା ତେଲକୁ ବାରମ୍ବାର ଗରମ କରି ଖାଦ୍ୟ ଛଣାଯାଉଛି। ଅନେକ ସ୍ଥାନରେ ବାସୀ ଖାଦ୍ୟ ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହୋଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟବର୍ଷା ଦିନ ଥିବାରୁ ଡାଇରିଆ, ଖାଦ୍ୟ ବିଷକ୍ରିୟା ଓ ଅନ୍ୟାନ୍ୟ ରୋଗର କାରଣ ପାଲଟିଛି। ଏତେ ସବୁ ଅନିୟମିତ ସତ୍ୱେ ପ୍ରଶାସନିକ ଅଧିକାରୀଙ୍କ ନଜର ଏସବୁ ଉପରେ ପଡୁନାହିଁ। ବ୍ୟବସାୟୀମାନେ ମାତ୍ର ଲାଭ ପାଇଁ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି । ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲ ବ୍ୟବହାର ଓ ବାସୀ ଖାଦ୍ୟ ବିକ୍ରି ଏବେ ତାଙ୍କର ସ୍ୱଭାବ ପାଲଟି ଯାଇଛି । ସାଧାରଣରେ ଦାବୀ ହୋଇଛି, ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୁରନ୍ତ ବଜାରରେ ଚଢାଉ କରି ଖାଦ୍ୟ ନମୁନା ସଂଗ୍ରହ କରନ୍ତୁ। ନକଲି ଓ ଅପମିଶ୍ରିତ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଦୃଢ ଓ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯାଉ। ତେଣୁ ଜିଲା ୧୪ଟି ବ୍ଲକ ସହ ପୌରାଂଚଳ ଓ ଏନଏସିରେ ଥିବା ଦୋକାନ, ବାଜରରେ ଚଢାଉ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବୀ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି