ବିଶ୍ଵ ମଧୁମେହ ଦିବସ ପାଳିତ : ସଚେତନତା ରାଲି ଓ ମାଗଣା ମଧୁମେହ ଚିହ୍ନଟ ଶିବିର ଆୟୋଜିତ
ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ବିଶ୍ଵ ମଧୁମେହ ଦିବସ ଅବସରରେ ଡକ୍ଟର୍ସ ଫୋରମ୍, ବ୍ରହ୍ମପୁର ପକ୍ଷରୁ ମଧୁମେହ ସଚେତନତା ରାଲି ସହିତ ଏକ ମାଗଣା ମଧୁମେହ ଚିହ୍ନଟ ଓ ରକ୍ତଚାପ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ମଧୁମେହର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପ୍ରାରମ୍ଭିକ ଚିହ୍ନଟ ସମ୍ପର୍କରେ ଜନସାଧାରଣଙ୍କୁ
Qertyuiio


ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ବିଶ୍ଵ ମଧୁମେହ ଦିବସ ଅବସରରେ ଡକ୍ଟର୍ସ ଫୋରମ୍, ବ୍ରହ୍ମପୁର ପକ୍ଷରୁ ମଧୁମେହ ସଚେତନତା ରାଲି ସହିତ ଏକ ମାଗଣା ମଧୁମେହ ଚିହ୍ନଟ ଓ ରକ୍ତଚାପ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ମଧୁମେହର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପ୍ରାରମ୍ଭିକ ଚିହ୍ନଟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ଡକ୍ଟର୍ସ ଫୋରମ୍ କାର୍ଯ୍ୟାଳୟ, ବାବାଜୀ ତୋଟା ସାହି ଠାରୁ ଖଲ୍ଲିକୋଟ ୟୁନିଟାରୀ ବିଶ୍ଵବିଦ୍ୟାଳୟ ଖେଳପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଫୋରମ୍ ର ସଦସ୍ୟମାନେ ଉତ୍ସାହର ସହ ଏଥିରେ ଯୋଗଦେଇ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ମଧୁମେହ ପ୍ରତିରୋଧ, ସୁସ୍ଥ ଜୀବନଶୈଳୀ, ନିୟମିତ ବ୍ୟାୟାମ ଓ ଶୀଘ୍ର ରୋଗ ଚିହ୍ନଟର ଗୁରୁତ୍ଵ ସମ୍ପର୍କରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ।

ଖେଳପଡ଼ିଆରେ ଡକ୍ଟର୍ସ ଫୋରମ୍ ର ସଦସ୍ୟମାନେ ଅର୍ଜୁନ ହସ କ୍ଲବ୍ ର ସଦସ୍ୟମାନଙ୍କ ସହ ମିଳିତ ଭାବେ ଏକ ମଧୁମେହ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ଡକ୍ଟର୍ସ ଫୋରମ୍ ର ସମ୍ପାଦକ ଡା. ଅତୁଲ୍ୟ କୁମାର ପଟ୍ଟନାୟକ ଉଦ୍ବୋଧନ ଦେଇ ମଧୁମେହର ବୃଦ୍ଧି ପାଉଥିବା ପ୍ରଭାବ ଓ ଏହାର ଗୁରୁତର ପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ, ଶାରୀରିକ ପରିଶ୍ରମ ଓ ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ। ଠିକ୍ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ମଧୁମେହଜନିତ ଜଟିଳତାକୁ ରୋକାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡକ୍ଟର୍ସ ଫୋରମ୍ ର କୋଷାଧ୍ୟକ୍ଷ ଡା. ସାମରେନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଡା. ରାମଚନ୍ଦ୍ର ରଥ, ଡା. ବିପିନ ସାହୁ, ଡା. ଗାନ୍ଧୀ ଚୌଧୁରୀ, ଡା. ଶ୍ୟାମସୁନ୍ଦର ମହାରଣା, ଡା. ରବି ଗନ୍ତାୟତ, ଡା. ପ୍ରଶାନ୍ତ ପଣ୍ଡା, ଡା. ପ୍ରଶନ୍ନ କର, ଡା. ଅଜୟ ପାତ୍ର ଓ ଡା. ଅଶୋକ ଦାସଙ୍କ ସମେତ ଫୋରମ୍ ର ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ।

ଅର୍ଜୁନ ହସ କ୍ଲବ୍ ର ସଭାପତି ସୀମାଞ୍ଚଳ ବିଷୋୟୀ କ୍ଲବ୍ ର ସଦସ୍ୟମାନଙ୍କ ସହ ସମନ୍ଵୟ ରକ୍ଷା କରିବା ସହ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମୂଲ୍ୟବାନ ସହଯୋଗ ପ୍ରଦାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଡକ୍ଟର୍ସ ଫୋରମ୍ ଓ ଅର୍ଜୁନ ହସ କ୍ଲବ୍ ର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ସାମୂହିକ ଭାବେ ଜନସ୍ୱାସ୍ଥ୍ୟ ସଚେତନତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହି ଅବସରରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ବାବାଜୀ ତୋଟା ସାହି ସ୍ଥିତ ଡକ୍ଟର୍ସ ଫୋରମ୍ କାର୍ଯ୍ୟାଳୟରେ ଏକ ମାଗଣା ମଧୁମେହ ଚିହ୍ନଟ ଓ ରକ୍ତଚାପ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଏହି ଶିବିରରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁଯୋଗ ନେବା ସହ ଉପସ୍ଥିତ ଡାକ୍ତରମାନଙ୍କ ଠାରୁ ଆବଶ୍ୟକୀୟ ସ୍ଵାସ୍ଥ୍ୟ ପରାମର୍ଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଉଭୟ ଅନୁଷ୍ଠାନ ପକ୍ଷରୁ ଭବିଷ୍ୟତରେ ମଧ୍ୟ ମଧୁମେହ ସଚେତନତା, ଶୀଘ୍ର ରୋଗ ଚିହ୍ନଟ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଥିଲା ଯେ, ମଧୁମେହଜନିତ ଜଟିଳତାକୁ ରୋକିବା ପାଇଁ ଶୀଘ୍ର ରୋଗ ଚିହ୍ନଟ, ସମୟୋଚିତ ଚିକିତ୍ସା ଓ ସୁସ୍ଥ ଜୀବନଶୈଳୀ ହିଁ ମୁଖ୍ୟ ଚାବିକାଠି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande