ଆଇଆଇଟିଏଫ୍-୨୦୨୬ ରେ ଓଡ଼ିଶା ରାଜ୍ୟ ଦିବସ
ଓଡ଼ିଶୀ, ଢାପ ଏବଂ ପାଇକ ନୃତ୍ୟ ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉତ୍ସବ ନୂଆଦିଲ୍ଲୀ /ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍ )-୨୦୨୬ ରେ ଓଡ଼ିଶାର ସାଂସ୍କୃତିକ ଚେତନା ମୁଖ୍ୟ ଆକର୍ଷଣ ପାଲଟିବ। ଆସନ୍ତାକାଲି (ଶନିବାର) ଅପରାହ୍ନ ୩ଟା
ଆଇଆଇଟିଏଫ୍-୨୦୨୬ ରେ ଓଡ଼ିଶା ରାଜ୍ୟ ଦିବସ


ଓଡ଼ିଶୀ, ଢାପ ଏବଂ ପାଇକ ନୃତ୍ୟ ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉତ୍ସବ

ନୂଆଦିଲ୍ଲୀ /ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍ )-୨୦୨୬ ରେ ଓଡ଼ିଶାର ସାଂସ୍କୃତିକ ଚେତନା ମୁଖ୍ୟ ଆକର୍ଷଣ ପାଲଟିବ। ଆସନ୍ତାକାଲି (ଶନିବାର) ଅପରାହ୍ନ ୩ଟାରୁ ସନ୍ଧ୍ୟା ୪.୩୦ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ କମ୍ପେ୍ଲକ୍ସର ଆମ୍ଫିଥିଏଟର-୧' ରେ ପାଳିତ ହେବ ଓଡ଼ିଶା ରାଜ୍ୟ ଦିବସ'। ଏହି ଉତ୍ସବରେ ବିଭିନ୍ନ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳାତ୍ମକ ପରମ୍ପରା ଏବଂ ସ୍ୱତନ୍ତ୍ର ପରିଚୟକୁ ପ୍ରଦର୍ଶିତ କରାଯିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିବିଧ କଳାତ୍ମକ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ତିନୋଟି ଚମତ୍କାର ସାଂସ୍କୃତିକ ଉପସ୍ଥାପନା ରହିବ। ଭୁବନେଶ୍ୱରର କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍' ଦ୍ୱାରା ଲାଳିତ୍ୟପୂର୍ଣ୍ଣ ଓ ଭାବପୂର୍ଣ୍ଣ ଓଡ଼ିଶୀ ନୃତ୍ୟ' ସହ ବଲାଙ୍ଗିରର ଦୁଲଦୁଲି କଳା ପରିଷଦ' ଦ୍ୱାରା ଓଡ଼ିଶାର ଜୀବନ୍ତ ଲୋକ ପରମ୍ପରା ଢାପ ନୃତ୍ୟ' ପ୍ରଦର୍ଶିତ ହେବ ଏବଂ ଖୋର୍ଦ୍ଧାର ପାଇକ ଆଖଡ଼ା କବିରାଜ ଆଣ୍ଡ ଗ୍ରୁପ୍' ଦ୍ୱାରା ପାଇକ ନୃତ୍ୟ' ମାଧ୍ୟମରେ ଓଡ଼ିଶାର ବୀରତ୍ୱ, ଶୃଙ୍ଖଳାଭାବକୁ ଉପସ୍ଥାପିତ କରାଯିବ। ଏହି ସମସ୍ତ ପରିବେଷଣ ଦର୍ଶକମାନଙ୍କୁ ଓଡ଼ିଶାର ଶାସ୍ତ୍ରୀୟ ସୌନ୍ଦର୍ଯ୍ୟ, ଲୋକସଂସ୍କୃତିର ଉତ୍କର୍ଷ ଏବଂ ବୀରତ୍ୱପୂର୍ଣ୍ଣ ପରମ୍ପରା ସମ୍ପର୍କରେ ଏକ ସ୍ପଷ୍ଟ ଧାରଣ ଦେବ ।

ସମ୍ବଲପୁରୀ ବସ୍ତ୍ରର ପାରମ୍ପରିକ ସୌନ୍ଦର୍ଯ୍ୟ, ପଟ୍ଟଚିତ୍ରର ଜଟିଳ କଳାକୌଶଳ, କଟକର ରୂପା ତାରକସି କାମ, ଢୋକ୍ରା ଶିଳ୍ପ, ତାଳପତ୍ର ଖୋଦେଇ, ପଥର ଓ କାଠ ଖୋଦେଇ, ଆପ୍ଲିକ କାରୁକାର୍ଯ୍ୟ ଏବଂ କାଇଁଚ ଘାସ ଶିଳ୍ପ—ଏସବୁ ରାଜ୍ୟର କାରିଗରମାନଙ୍କ ଅସାଧାରଣ ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦିଏ। ଦର୍ଶକମାନଙ୍କୁ ଜଟିଳ ପ୍ରକ୍ରିୟା, ଧୈର୍ଯ୍ୟ ଏବଂ କାରିଗରୀ କୌଶଳକୁ ନିଜ ଆଖିରେ ଦେଖିବାର ସୁଯୋଗ ଦେଉଥିବା ପ୍ରତ୍ୟକ୍ଷ କାରୁକାର୍ଯ୍ୟ ପ୍ରଦର୍ଶନ ଏହି ଅନୁଭୂତିକୁ ଆହୁରି ସମୃଦ୍ଧ କରୁଛି ।

ଏହି ପାଭିଲିୟନ୍କୁ ୭୦,୦୦୦ରୁ ଅଧିକ ଦର୍ଶକ ପରିଦର୍ଶନ କରିଥିବା ବେଳେ, ମୋଟ ବିକ୍ରି ପରିମାଣ ୨୫ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଏହା ଓଡ଼ିଶାର ବିବିଧ ଉତ୍ପାଦ ଏବଂ ସାଂସ୍କୃତିକ ପ୍ରଦର୍ଶନ ପ୍ରତି ଲୋକଙ୍କ ବର୍ଦ୍ଧିତ ଆଗ୍ରହକୁ ସୂଚିତ କରୁଛି ଏବଂ ଓଡ଼ିଶାକୁ ଜାଣିବା ଓ ବୁଝିବା ପାଇଁ ଏହି ପ୍ରତିଷ୍ଠିତ ଜାତୀୟ ବାଣିଜ୍ୟ ମେଳା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

ଓଡ଼ିଶା ରାଜ୍ୟ ଦିବସ' ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ କଳା ପ୍ରଦର୍ଶନ ମାଧ୍ୟମରେ ରାଜ୍ୟର ସାଂସ୍କୃତିକ ପରମ୍ପରାକୁ ଜୀବନ୍ତ କରି ତୋଳିବ ଏବଂ ଏହି ଅନୁଭୂତିକୁ ଆହୁରି ସମୃଦ୍ଧ କରିବ। ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିବିଶେଷ, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତି, ନିମନ୍ତ୍ରିତ ଅତିଥି ଏବଂ ସଂସ୍କୃତିପ୍ରେମୀମାନେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande