
ପାଟନା, ୨୦ ନଭେମ୍ବର(ହି.ସ.) – ବିହାରର ବୈଶାଳୀ ଜିଲ୍ଲାର ଜନ୍ଦାହା-ରାଜାପାକର-ମହୁଆ ଶିଳ୍ପାଂଚଳ(ଜାଫରପଟ୍ଟି)ରେ ନଭେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭା ପାଇଁ ଜିଲ୍ଲା ପ୍ରଶାସନ ବିସ୍ତୃତ ପ୍ରସ୍ତୁତି କରିଛି। ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ଯୋଗଦେବେ ବୋଲି ଆଶା କରାଯାଉଥିବା ଦୃଷ୍ଟିରୁ ସ୍ଥାନ, ଟ୍ରାଫିକ୍, ପାର୍କିଂ, ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜରୁରୀକାଳୀନ ସେବା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ନୀତୀଶ ସେତୁ ସମେତ ଅନେକ ପ୍ରକଳ୍ପର ଉଦ୍ଘାଟନ କରିବେ।
ବିହାର ସରକାରଙ୍କ ସରକାରୀ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନଭେମ୍ବର ୨୧ ତାରିଖ ଅପରାହ୍ନ ୧ଟା ୨୦ ମିନିଟ୍ରେ ବୈଶାଳୀ ଜିଲ୍ଲାର ରୁସ୍ତମପୁରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜାଫରପଟ୍ଟୀର ଜନ୍ଦାହା-ରାଜାପାକର-ମହୁଆ ଶିଳ୍ପାଂଚଳରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ଜାଫ୍ରାପଟ୍ଟି ଛାଡ଼ିବାର କାର୍ଯ୍ୟକ୍ରମ ରହିଛି। ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ନିରନ୍ତର ସମୀକ୍ଷା ଏବଂ ତଦାରଖ କରୁଛି। ସୁରକ୍ଷା, ଟ୍ରାଫିକ୍, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ଅଗ୍ନିଶମ, ବିଦ୍ୟୁତ୍ ଏବଂ ପାର୍କିଂ ସମେତ ସମସ୍ତ ସମ୍ପୃକ୍ତ ବିଭାଗକୁ ସମନ୍ୱୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ। ଜନ୍ଦାହା-ରାଜାପାକର-ମହୁଆ ଶିଳ୍ପ କ୍ଷେତ୍ରର ଭିତିପ୍ରସ୍ତର ସ୍ଥାପନ ଏବଂ ନିତୀଶ ସେତୁର ଉଦ୍ଘାଟନ ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ହେବ। ଏହି ପ୍ରକଳ୍ପଗୁଡ଼ିକ ଏହି ଅଂଚଳର ବିକାଶ ଏବଂ ଭିତିଭୂମିକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି