
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗ, ବିହାର ଓ ଉତରପ୍ରଦେଶର ଦିନିକିଆ ଗସ୍ତରେ ରହିବେ। ଏହି ଅବସରରେ ସେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଭିତିଭୂମି ସହ ଜଡ଼ିତ ଅନେକ ବଡ଼ କାର୍ଯ୍ୟକ୍ରମରେ ଯୋଗଦେବେ। ବିହାରର ବୈଶାଳୀରେ ପ୍ରାୟ ୩୪,୪୭୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଗଙ୍ଗା ନଦୀ ଉପରେ ନିର୍ମିତ ‘ନୀତୀଶ ସେତୁ’ର ଲୋକାର୍ପଣ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସକାଳ ୯ଟା ୪୫ ମିନିଟ୍ରେ ପଶ୍ଚିମବଙ୍ଗସ୍ଥିତ ଦେଶର ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (୧୯୫୧ରେ ପ୍ରତିଷ୍ଠିତ) ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗଦେବେ। ଏହି ଅବସରରେ ସେ ସଂସ୍ଥାନର ୭୫ ବର୍ଷର ଗୌରବମୟ ଯାତ୍ରାର ପ୍ରତୀକ ଭାବେ ୭୫ ଜଣ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଏବଂ ସମାରୋହକୁ ସମ୍ବୋଧିତ କରିବେ।
ପଶ୍ଚିମବଙ୍ଗ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଅପରାହ୍ଣ ୧ଟା ୧୫ ମିନିଟ୍ରେ ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ ୬ ଲେନ୍ ବିଶିଷ୍ଟ ଏକ୍ସଟ୍ରାଡୋଜ୍ଡ କେବୁଲ୍-ଷ୍ଟେଡ୍ ବ୍ରିଜ୍ ‘ନୀତୀଶ ସେତୁ’ର ନିରୀକ୍ଷଣ କରିବେ ଏବଂ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ। ଏହାପରେ ଅପରାହ୍ଣ ପ୍ରାୟ ୨ଟାରେ ପ୍ରଧାନମନ୍ତ୍ରୀ ବୈଶାଳୀରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରାୟ ୩୪,୪୭୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେବେ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତୀ ନଗରସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପଂଚମ ଦକ୍ଷତା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ ଏବଂ ଯୁବପିଢ଼ିଙ୍କୁ ସମ୍ବୋଧିତ କରିବେ। ୨୦୨୧-୨୨ରେ ଆରମ୍ଭ ହୋଇଥିବା ଏହି ଜାତୀୟ ମଂଚରେ ଚଳିତ ବର୍ଷ ଔଦ୍ୟୋଗିକ ତାଲିମ ପ୍ରତିଷ୍ଠାନ (ଆଇଟିଆଇ), ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍ଏସ୍ଟିଆଇ) ଏବଂ ପ୍ରଶିକ୍ଷକଙ୍କ ତାଲିମ ପ୍ରତିଷ୍ଠାନର ୫୨ ଜଣ ଜାତୀୟ ସ୍ତରର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସଫଳତା ପାଇଁ ସମ୍ମାନିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ