
କାଠମାଣ୍ଡୁ, ୨୦ ନଭେମ୍ବର (ହି.ସ.)। ଠକେଇ ମାମଲାରେ ଅଭିଯୁକ୍ତ ନେପାଳ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ଏକନାରାୟଣ ଆର୍ଯ୍ୟାଲଙ୍କୁ ଭାରତରୁ ଗିରଫ କରାଯାଇଛି। ନିଜ ବିରୋଧରେ ଗିରଫ ୱାରେଣ୍ଟ ଜାରି ହେବାର ଠିକ୍ ପୂର୍ବରୁ ସେ ଭାରତକୁ ଫେରାର ହୋଇଯାଇଥିଲେ।
ନେପାଳ ପୁଲିସର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିଆଇବି)ର ଏକ ସ୍ୱତନ୍ତ୍ର ଟିମ୍ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ସହଯୋଗରେ ଆର୍ଯ୍ୟାଲଙ୍କୁ ଅଟକ ରଖିଛି। ତାଙ୍କୁ ଆଜି ହିଁ ବିମାନ ଯୋଗେ ନେପାଳ ଅଣାଯାଉଥିବା ଜଣାପଡ଼ିଛି। ସିଆଇବିର ଜଣେ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାଙ୍କ ଗିରଫଦାରୀ ସମ୍ପର୍କରେ ଔପଚାରିକ ଭାବେ ସୂଚନା ଦିଆଯିବ।
ମାଲେସିଆ ଯାଉଥିବା ନେପାଳୀ ଶ୍ରମିକମାନଙ୍କ ସହ ଜଡ଼ିତ ଏକ ମାମଲାରେ ପ୍ରାୟ ୨ ଅରବ ଟଙ୍କାର କଥିତ ହେରାଫେରି ଅଭିଯୋଗର ତଦନ୍ତ ବେଳେ ତତ୍କାଳୀନ ମୁଖ୍ୟ ସଚିବ ଆର୍ଯ୍ୟାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ଅଦାଲତଙ୍କଠାରୁ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା।
ଏହି ମାମଲାରେ ଏହା ପୂର୍ବରୁ ଦୁଇଜଣ ପୂର୍ବତନ ଶ୍ରମ ମନ୍ତ୍ରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇସାରିଛି। ଅଦାଲତଙ୍କ ପକ୍ଷରୁ ଗିରଫ ୱାରେଣ୍ଟ ଜାରି ହେବାର ତୁରନ୍ତ ପରେ ଗୁରୁବାର ଦିନ ଆର୍ଯ୍ୟାଲ ବିମାନ ଯୋଗେ ଦିଲ୍ଲୀ ଚାଲିଯାଇଥିଲେ। ସିଆଇବି ମୁଖ୍ୟ ଏଆଇଜି ଉମା ଚତୁର୍ବେଦୀ ପୂର୍ବତନ ମୁଖ୍ୟ ସଚିବଙ୍କ ଗିରଫଦାରୀକୁ ସ୍ପଷ୍ଟ କରିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କୁ ଭାରତର କେଉଁ ସ୍ଥାନରୁ ଗିରଫ କରାଯାଇଛି, ସେ ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା