
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.) - ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କହିଛନ୍ତି ଯେ ପ୍ରତିରକ୍ଷା ଜମି ପରିଚାଳନାରେ ଏଆଇ, ଜିଆଇଏସ୍ ଏବଂ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର ସମୟର ଆବଶ୍ୟକତା। ସେ ଏଠାରେ ପ୍ରତିରକ୍ଷା ସମ୍ପତି ସଂଗଠନର ୧୦୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ‘ଡିଫେନ୍ସ ଏଷ୍ଟେଟ୍ସ ସେଂଟେନାରୀ ଲେକ୍ଚର୍ ୨୦୨୬’କୁ ସମ୍ବୋଧିତ କରୁଥିଲେ।
ଏହି ଅବସରରେ ପ୍ରତିରକ୍ଷା ଜମିର ସଂରକ୍ଷଣ ଓ ସୁବ୍ୟବସ୍ଥିତ ପରିଚାଳନା, ଜାତୀୟ ସୁରକ୍ଷା ଏବଂ ସେନା ଛାଉଣିଗୁଡ଼ିକରେ ନାଗରିକ ସୁବିଧାର ବିସ୍ତାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବଦଳୁଥିବା ସମୟର ଆହ୍ୱାନଗୁଡ଼ିକର ଉଲ୍ଲେଖ କରି ବିର୍ଲା କହିଥିଲେ, “ପ୍ରତିରକ୍ଷା ଜମି ପରିଚାଳନାକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିଭିତିକ କରିବା ପାଇଁ ଏଆଇ, ଜିଆଇଏସ୍, ଡ୍ରୋନ୍ ପ୍ରଯୁକ୍ତି ଏବଂ ଡିଜିଟାଲ୍ ରେକର୍ଡର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଇ-ଛାଉଣି, ସ୍ମାର୍ଟ, ସବୁଜ ଏବଂ ସ୍ଥାୟୀ ଛାଉଣି ନିର୍ମାଣ, ପରିବେଶ ସଂରକ୍ଷଣ ଏବଂ ଐତିହାସିକ ରେକର୍ଡଗୁଡ଼ିକୁ ସଂରକ୍ଷିତ ରଖିବା ଭଳି ପ୍ରୟାସକୁ ଆହୁରି ଗତି ଦେବା ଆବଶ୍ୟକ।”
ସେ କହିଥିଲେ ଯେ ନିଜର ସମୃଦ୍ଧ ଐତିହ୍ୟ, ଅଭିଜ୍ଞତା ଏବଂ ବୃତିଗତ ଦକ୍ଷତା ଆଧାରରେ ପ୍ରତିରକ୍ଷା ସମ୍ପତି ସଂଗଠନ ଆଗାମୀ ଦିନରେ ମଧ୍ୟ ଜାତୀୟ ସୁରକ୍ଷା, ସୁଶାସନ ଏବଂ ଜନକଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଚାଲିବ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ସାମରିକ ଅଧିକାରୀ ଏବଂ ପ୍ରତିରକ୍ଷା ସମ୍ପତି ପରିଚାଳନା ସହ ଜଡ଼ିତ ବିଶେଷଜ୍ଞମାନେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚିନ୍ତନ-ମନ୍ଥନ କରିଥିଲେ। ଏହା ସହିତ ସଂଗଠନର ସମସ୍ତ ବର୍ତମାନ ଓ ପୂର୍ବତନ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ