

ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ଯୁବ ଡାକ୍ତରମାନେ ବୃତ୍ତିଗତ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ପାଳନ କରିବା ସହ ଚିକିତ୍ସା ସେବାରେ କରୁଣା, ସମ୍ବେଦନଶୀଳତା ଏବଂ ମାନବ ସେବାକୁ ସର୍ବାଧିକ ପ୍ରାଧାନ୍ୟ ଦେବା ଉଚିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ବିଜ୍ଞାନ ଭବନରେ ଅଟଳ ବିହାରୀ ବାଜପେୟୀ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏବିଭିଆଇଏମଏସ) ଏବଂ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲର ଦ୍ୱାଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଚିକିତ୍ସା ଶିକ୍ଷାରେ ଛାତ୍ରୀମାନଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ସଫଳତା ଚିକିତ୍ସା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାମାନଙ୍କ ବଢ଼ୁଥିବା ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ଏହି ଅବସରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି କହିଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା କେବଳ ସହରାଞ୍ଚଳ ଏବଂ ସମ୍ପନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବରଂ ଦୁର୍ଗମ ଏବଂ ଅବହେଳିତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ମଧ୍ୟ ଏହା ପହଞ୍ଚିବା ଆବଶ୍ୟକ। ରୋଗୀମାନଙ୍କୁ ଉନ୍ନତ ସେବା ଯୋଗାଇବାରେ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ୨୦୨୫ ମସିହାରେ ହସ୍ପିଟାଲର ଓପିଡିକୁ ୧୯ ଲକ୍ଷରୁ ଅଧିକ ରୋଗୀ ଆସିଥିଲେ। ଏହାଦ୍ୱାରା ଏଠାରେ ଅଧ୍ୟୟନ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଅଭିଜ୍ଞତା ଏବଂ କ୍ଲିନିକାଲ ଜ୍ଞାନ ହାସଲ କରିବାର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିଛି।
ମୁର୍ମୁ କହିଥିଲେ ଯେ, ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ପ୍ରାଥମିକ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଉନ୍ନତ ଚିକିତ୍ସା ସୁବିଧା ପର୍ଯ୍ୟନ୍ତ ବିସ୍ତାର ହୋଇଛି। ସମଗ୍ର ଦେଶରେ ପ୍ରାୟ ୧.୭୫ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ କରୁଛି। ଏହା ସହିତ ଟିୟର-୨ ଏବଂ ଟିୟର-୩ ସହରଗୁଡ଼ିକରେ ମଧ୍ୟ ଚିକିତ୍ସା ଶିକ୍ଷା ଓ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟସେବାର ବିସ୍ତାର ହୋଇଛି। ଫଳରେ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ଲୋକମାନେ ନିଜ ଘର ନିକଟରେ ଉନ୍ନତ ଚିକିତ୍ସା ପାଇବା ସମ୍ଭବ ହୋଇପାରିଛି। ଟେଲିମେଡିସିନକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ସେ କହିଥିଲେ ଯେ, ଏହା ମାଧ୍ୟମରେ ଭୌଗୋଳିକ ଦୂରତା ହ୍ରାସ କରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପହଞ୍ଚାଯାଇପାରିବ।
ରାଷ୍ଟ୍ରପତି କହିଥିଲେ ଯେ, ଭାରତର ସ୍ୱାସ୍ଥ୍ୟନୀତି ଏବେ କେବଳ ରୋଗର ଚିକିତ୍ସା ମଧ୍ୟରେ ସୀମିତ ନାହିଁ। ବରଂ ରୋଗ ନିରାକରଣ ଏବଂ ଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମଧୁମେହ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ କର୍କଟ ଭଳି ଅଣସଂକ୍ରାମକ ରୋଗର ପ୍ରାରମ୍ଭିକ ଯାଞ୍ଚ ଓ ଚିକିତ୍ସା ଅତ୍ୟନ୍ତ ଜରୁରୀ। ସେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଉଲ୍ଲେଖ କରି କହିଥିଲେ ଯେ, ଏହି ଯୋଜନା ଅଧୀନରେ ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଛି।
ସେହିପରି ଆୟୁଷ୍ମାନ ବୟ ବନ୍ଦନା ଯୋଜନା ମାଧ୍ୟମରେ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ବିଚାର ନକରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା