
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରି ନଭେମ୍ବର ୨୪ ତାରିଖରେ ତିରୁପରନକୁନ୍ଦ୍ରମ ପାହାଡ଼ର ଶିଖରରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ କରିବାକୁ ଅନୁମତି ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କେବଳ ଦେବସ୍ଥାନମ୍ (ମନ୍ଦିର ପ୍ରଶାସନ)ର ଅଧିକୃତ ବ୍ୟକ୍ତି ଏବଂ ସରକାରୀ ଅଧିକାରୀମାନେ ହିଁ ଦୀପ ପ୍ରଜ୍ୱଳନ ପାଇଁ ଯାଇପାରିବେ। ଆବଶ୍ୟକ ପଡ଼ିଲେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମୁତୟନ କରିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ତିରୁପରନକୁନ୍ଦ୍ରମ ପାହାଡ଼ର ଶିଖରରେ ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ କରିବାକୁ ଅନୁମତି ଦେଇଥିବା ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। କାର୍ତ୍ତିଗାଇ ଦୀପମ୍ ଉତ୍ସବ ନଭେମ୍ବର ୨୪ ତାରିଖରେ ପାଳନ ହେବାକୁ ଥିବା ବିଷୟକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ନିଜର ବର୍ତ୍ତମାନର ଆଦେଶରେ କୋର୍ଟ ବିଚାର କରିଛନ୍ତି ଯେ, ଥରେ ଅନୁମତି ମିଳିଗଲେ ପରେ ଏହି ଉତ୍ସବକୁ ବାତିଲ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ, ଏବେ ଅନୁମତି ନମିଳିଲେ ଚଳିତ ବର୍ଷର ଉତ୍ସବ ପାଇଁ ପରବର୍ତ୍ତୀ ସମୟରେ କୌଣସି ଆଶ୍ୱସ୍ତି ମିଳିବା ସମ୍ଭବ ହେବ ନାହିଁ।
କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଅନ୍ତରୀଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। ତେବେ ଏହି ଅନୁମତି କେବଳ ଚଳିତ ବର୍ଷର ଉତ୍ସବ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚର ଜାନୁଆରୀ ୬ ତାରିଖର ଆଦେଶର ପାରାଗ୍ରାଫ୍ ୧ରୁ ୧୪୦ ପର୍ଯ୍ୟନ୍ତ ଅଂଶ ଉପରେ ରୋକ୍ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦୀପ ପ୍ରଜ୍ୱଳନ ସମାରୋହ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଡ଼ିଲେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସ୍ଥାନୀୟ ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ସବ ଆୟୋଜନ ପାଇଁ ଅଧିକୃତ ଟିମ୍ର ଗଠନ ଏବଂ ଏଥିରେ ସାମିଲ ହେବାକୁ ଥିବା ସଦସ୍ୟଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବାକୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ମଦୁରାଇ ଜିଲ୍ଲାପାଳ, ପୁଲିସ କମିଶନର ଏବଂ ଏଏସ୍ଆଇଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା