
ଡିଣ୍ଡିଗୁଲ, ୨୦ ନଭେମ୍ବର (ହି.ସ.)। ତାମିଲନାଡୁର କୋଡାଇକାନାଲରେ ବିବାହ ପରେ ଆୟୋଜିତ ଭୋଜି ଏବଂ ଗୃହ ପ୍ରବେଶ ସମାରୋହରେ ଯୋଗଦେଇ ଫେରୁଥିବା ସମ୍ପର୍କୀୟମାନଙ୍କ ଏକ ଭ୍ୟାନ୍ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପାଲାନି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଡିଣ୍ଡିଗୁଲ ଜିଲ୍ଲାର ପାଲାନିସ୍ଥିତ ମଦିନା ନଗର ନିବାସୀ ଫୁଲ ବ୍ୟବସାୟୀ ମୁଜିବ ରହମାନଙ୍କ ଝିଅଙ୍କ ବିବାହ ନଭେମ୍ବର ୧୫ ତାରିଖରେ କୋଡାଇକାନାଲର ମୁଞ୍ଜିକଲ ନିବାସୀ ଜଣେ ଯୁବକଙ୍କ ସହ ହୋଇଥିଲା। ଏହାପରେ ନଭେମ୍ବର ୧୯ ତାରିଖରେ କୋଡାଇକାନାଲର ମୁଞ୍ଜିକଲ ନିକଟରେ ଆୟୋଜିତ ବିବାହ ଭୋଜି ଏବଂ ଗୃହ ପ୍ରବେଶ ସମାରୋହରେ ଯୋଗଦେଇ ପରିବାରର ସଦସ୍ୟମାନେ ପାଲାନି ଫେରୁଥିଲେ। ଭ୍ୟାନ୍ରେ ପାଲାନିର ମଦିନା ନଗର, ବଡ଼ ମସଜିଦ ଷ୍ଟ୍ରିଟ୍ ଏବଂ ଉଡୁମଲପେଟର ମୋଟ ୧୯ ଜଣ ସମ୍ପର୍କୀୟ ଯାତ୍ରା କରୁଥିଲେ।
ଏହି ସମୟରେ ସଭରିକାଡୁ ନିକଟରେ ଚାଳକ ଭ୍ୟାନ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ପ୍ରାୟ ୧୦୦ ଫୁଟ ଗଭୀର ଖାଇକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଭ୍ୟାନ୍ରେ ଥିବା ଲୋକମାନେ ଗାଡ଼ି ଭିତରେ ଫସି ରହିଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାଲାନି ଏବଂ କୋଡାଇକାନାଲର ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଖାଇ ଭିତରକୁ ଓହ୍ଲାଇ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ରାତି ସମୟ ଏବଂ ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଦେଖାଦେଇଥିଲା। ଏହା ସତ୍ତ୍ୱେ ଡିଣ୍ଡିଗୁଲ ଏସପି ଜୟକୁମାର ନିଜେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଆଲୋକର ବ୍ୟବସ୍ଥା କରି ଆହତମାନଙ୍କୁ ଉଦ୍ଧାର କରିଥିଲେ।
ତେବେ ଏହି ଦୁର୍ଘଟଣାରେ ପାଲାନିର ବଡ଼ ମସଜିଦ ଷ୍ଟ୍ରିଟ୍ ନିବାସୀ କନ୍ୟାଙ୍କ ଜେଜେବାପା ନିଜାମୁଦ୍ଦିନ (୭୫), ସମ୍ପର୍କୀୟ ଭାଇ ଶେଖ ଫରିଦ ଏବଂ ଦାଦା ଆବାସ (୬୧)ଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୧୨ ବର୍ଷର ଜଣେ ବାଳକଙ୍କ ସମେତ ଅନେକ ଆହତଙ୍କୁ ଉଦ୍ଧାର କରି ପାଲାନି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ରୁ ୪ ଜଣ ଆହତ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତକଙ୍କ ପରିବାର ସଦସ୍ୟ ଏବଂ ଆହତଙ୍କ ସମ୍ପର୍କୀୟଙ୍କ ସମେତ ଶହ ଶହ ଲୋକ ପାଲାନି ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଫଳରେ ଡାକ୍ତରଖାନା ପରିସରରେ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଦୁର୍ଘଟଣାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଡିଣ୍ଡିଗୁଲ ସାଂସଦ ସଚ୍ଚିଦାନନ୍ଦମ, ପାଲାନିର ଏଆଇଏଡିଏମକେ ବିଧାୟକ ରବିମନୋହରନ ଏବଂ ତାମିଲଗା ବେତ୍ରି କଝଗମର ପଶ୍ଚିମ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାଲନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପଦାଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନେ ଆହତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଥିଲେ।
ପୁଲିସ ଏହି ସମଗ୍ର ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ପାଲାନି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା