
ପଥର ଖଣିରେ ଧାର୍ଯ୍ୟ ସୀମାଠାରୁ ଅଧିକ ଲାଲ ମାଟି ଓ ପଥର ଖନନ ଅଭିଯୋଗ, ଟେଣ୍ଡର ସମେତ ସମ୍ପୃକ୍ତ ଦସ୍ତାବିଜ୍ ଯାଂଚ
ମଦୁରାଇ, ୨୦ ନଭେମ୍ବର (ହି.ସ.)- ତାମିଲନାଡୁରେ ପଥର ଖଣିଗୁଡ଼ିକରେ ନିୟମ ଉଲ୍ଲଂଘନ କରି ଲାଲ ମାଟି ଓ ପଥରର ବେଆଇନ ଖନନ ମାମଲାରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ଶୁକ୍ରବାର ସକାଳେ ଦ୍ରାବିଡ଼ ମୁନେତ୍ର କଡ଼ଗମ (ଡିଏମକେ)ର ପୂର୍ବତନ ମନ୍ତ୍ରୀ ମୂର୍ତିଙ୍କ ମଦୁରାଇସ୍ଥିତ ବାସଭବନରେ ପୁଲିସ ଚଢ଼ାଉ କରିଛି।
ପୂର୍ବ ଡିଏମକେ ସରକାରରେ ମୂର୍ତି ବାଣିଜ୍ୟିକ କର ଓ ପଞ୍ଜୀକରଣ ବିଭାଗର ମନ୍ତ୍ରୀ ଥିଲେ। ମଦୁରାଇ ଜିଲ୍ଲାର ଆଲଙ୍ଗାନଲ୍ଲୁର ଓ ପାଲାମେଡୁ ଅଂଚଳରେ ଥିବା ପଥର ଖଣିଗୁଡ଼ିକରେ ଧାର୍ଯ୍ୟ ସୀମାଠାରୁ ଅଧିକ ଲାଲ ମାଟି ଓ ପଥର ଖନନ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା।
ଏହି ଅଭିଯୋଗ ଆଧାରରେ ମଦୁରାଇ ଜିଲ୍ଲା ଅପରାଧ ଶାଖା ପୁଲିସ ପୂର୍ବତନ ମନ୍ତ୍ରୀ ମୂର୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଶୁକ୍ରବାର ସକାଳେ ପୁଲିସ ତାଙ୍କ ମଦୁରାଇସ୍ଥିତ ବାସଭବନରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ଅଧିକାରୀମାନେ ପଥର ଖଣି ସମ୍ପର୍କିତ ଟେଣ୍ଡର ଦସ୍ତାବିଜ୍ ଏବଂ ଲାଲ ମାଟି ଓ ପଥର ଖନନ ସହ ଜଡ଼ିତ ରେକର୍ଡଗୁଡ଼ିକର ଯାଂଚ କରୁଛନ୍ତି।
ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପୂର୍ବତନ ମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପୁଲିସ ଏହି ମାମଲା ସହ ଜଡ଼ିତ ଦସ୍ତାବିଜ୍ ଏବଂ ଅନ୍ୟାନ୍ୟ ପ୍ରମାଣର ଯାଂଚ କରୁଛି।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ