
ମାଆଙ୍କ ସ୍ନେହ ଓ ଆଶୀର୍ବାଦ ଜୀବନର ଅମୂଲ୍ୟ ସମ୍ପତି: ମୁଖ୍ୟମନ୍ତ୍ରୀ ଧାମୀ
ଦେହରାଦୁନ, ୨୦ ନଭେମ୍ବର (ହି.ସ.)- ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କର ଶୁକ୍ରବାର ପ୍ରାୟ ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଉତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ୱର ବ୍ଲକ୍ ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ପଂଚୁରଠାରେ ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୂଚନା ଅନୁସାରେ, ଶନିବାର ହରିଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଉତରାଖଣ୍ଡ ଓ ଉତରପ୍ରଦେଶରେ ଶୋକର ଛାୟା ଖେଳିଯାଇଛି। ପରିବାର ସଦସ୍ୟ, ସମ୍ପର୍କୀୟ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ସାବିତ୍ରୀ ଦେବୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଚଳିତ ବର୍ଷ ମେ ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମାଆଙ୍କୁ ଶେଷ ଥର ପାଇଁ ଭେଟିଥିଲେ। ମେ' ୭ ତାରିଖରେ ଦୁଇଦିନିଆ ଉତରାଖଣ୍ଡ ଗସ୍ତରେ ଆସି ସେ ନିଜ ପୈତୃକ ଗ୍ରାମ ପଂଚୁରରେ ପହଂଚିିଥିଲେ। ଏହି ସମୟରେ ସେ ଗ୍ରାମରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ପରିବାର ସଦସ୍ୟଙ୍କୁ ଭେଟିଥିଲେ।
ମେ' ୮ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ପୈତୃକ ବାସଭବନକୁ ଯାଇଥିଲେ। ସେଠାରେ ସେ ନିଜ ମାଆ ସାବିତ୍ରୀ ଦେବୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ମାଆ ଓ ପୁଅଙ୍କ ଏହି ସାକ୍ଷାତ ଶେଷ ସାକ୍ଷାତରେ ପରିଣତ ହୋଇଛି। ସାବିତ୍ରୀ ଦେବୀଙ୍କ ବିୟୋଗରେ ଉତରପ୍ରଦେଶ ଓ ଉତରାଖଣ୍ଡରେ ତାଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ବାତାବରଣ ରହିଛି।
ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ସାବିତ୍ରୀ ଦେବୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଜାରି ନିଜର ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂଜ୍ୟ ମାତା ସାବିତ୍ରୀ ଦେବୀଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ। ମାଆଙ୍କ ସ୍ନେହ, ଆଶୀର୍ବାଦ ଓ ମମତା ଜୀବନର ସବୁଠାରୁ ଅମୂଲ୍ୟ ସମ୍ପତି। ତାଙ୍କ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।
ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଜୀବନରେ ମାଆଙ୍କ ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସ୍ନେହ ଓ ଆଶୀର୍ବାଦ ଜଣେ ବ୍ୟକ୍ତିଙ୍କୁ ଜୀବନସାରା ସାହସ ଓ ସମ୍ବଳ ଯୋଗାଇଥାଏ। ଏଭଳି କଠିନ ସମୟରେ ମାଆଙ୍କ ସାଥ୍ ଛାଡ଼ିଯିବା ପରିବାର ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦୁଃଖଦ ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ସମଗ୍ର ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଧାମୀ ବାବା କେଦାରନାଥଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ଦିବଂଗତ ପୁଣ୍ୟାତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକାକୁଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମଗ୍ର ପରିବାରକୁ ଏହି ଅପାର ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ।
ଉଲ୍ଲେଖଯୋଗ୍ୟ ଯେ, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଗ୍ରାମ ପଂଚୁର ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ୱର ଅଂଚଳରେ ଅବସ୍ଥିତ। ସାବିତ୍ରୀ ଦେବୀଙ୍କ ବିୟୋଗରେ ତାଙ୍କ ପୈତୃକ ଅଂଚଳରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି। ଉତରାଖଣ୍ଡବାସୀ ମଧ୍ୟ ଏହି ଦୁଃଖଦ ଘଟଣାରେ ସମବେଦନା ଜଣାଇଛନ୍ତି।
--------------------------
ହିନ୍ଦୁସ୍ଥାନ ସମାଚାର / ଗଗନ