
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଓଡ଼ିଶାର ଗ୍ରାମାଂଚଳ ଭିତିଭୂମିର ସୁଦୃଢ଼ୀକରଣ ଏବଂ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଚଳିତ ବଜେଟ୍ ରେ ରାଜ୍ୟ ସରକାର ଅଭୂତପୂର୍ବ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ସମ୍ମିଳନୀ କକ୍ଷରେ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗୀୟ ବଜେଟ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମୋଟ ୩୪,୧୦୪.୦୬ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ମୋଟ ୧୦,୨୦୪.୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି ।
ଗ୍ରାମାଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଆବାସ ଯୋଜନାକୁ ବଜେଟ୍?ରେ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୨,୪୪୫ କୋଟି ଟଙ୍କା, ଅନ୍ତ୍ୟୋଦୟ ଯୋଜନା ପାଇଁ ୨,୦୦୦ କୋଟି ଟଙ୍କା ଏବଂ ପିଏମ୍-ଜନମନ ଯୋଜନା ପାଇଁ ୩୦ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ରାଜ୍ୟରେ ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ‘ଭିବି-ଜି ରାମ ଜି’ ଯୋଜନା ପାଇଁ ୫,୫୭୫ କୋଟି ଟଙ୍କା ରଖାଯାଇଛି । ଏହି ଯୋଜନାରେ ବାର୍ଷିକ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ସହ ଚାଷ ସମୟରେ ୬୦ ଦିନର ବିରତି ସୁବିଧା ରହିଛି ଓ କାର୍ଯ୍ୟ ଶେଷ ହେବାର ସର୍ବାଧିକ ୧୫ ଦିନ ମଧ୍ୟରେ ମଜୁରୀ ପ୍ରଦାନ କରାଯିବ ଏବଂ କାମ ନମିଳିଲେ ଦୈନିକ ବେକାରୀ ଭତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ମନରେଗା ପାଇଁ ୧,୬୨୬ କୋଟି ଟଙ୍କା ରଖାଯାଇଛି । ଏଥିସହିତ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ପରି ୯ଟି ଜିଲ୍ଲାର ୩୦ଟି ବ୍ଲକ୍ ରେ ଦାଦନ ସମସ୍ୟା ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା- 'କର୍ମବର୍ଦ୍ଧିଷ୍ଣୁ ପଦ୍ଧତି ମାଧ୍ୟମରେ ଜୀବିକା ଅଭିବୃଦ୍ଧି' କାର୍ଯ୍ୟକାରୀ କରାଯିବ । ୩୬ ମାସର ଏହି ମିଶନ ପାଇଁ ୨୦୨୬-୨୭ ବର୍ଷରେ ୨୨୦ କୋଟି ଟଙ୍କା ଅନୁମୋଦିତ ହୋଇଛି।
୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମୀଣ ପରିବାରକୁ ଶତପ୍ରତିଶତ ପାଇପ୍ ଜଳ ଯୋଗାଇ ଦେବାର ଲକ୍ଷ୍ୟ ମାନନୀୟ ମନ୍ତ୍ରୀ ଶ୍ରୀ ନାଏକ ଦୋହରାଇଥିଲେ । ୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୭୭.୧୫ % ପରିବାର ଏହି ସୁବିଧା ପାଇଥିବା ବେଳେ ଚଳିତ ବର୍ଷ ପାଇଁ ‘ଜଳ ଜୀବନ ମିଶନ’ରେ ୭,୦୦୦ କୋଟି, ‘ବସୁଧା’ ଯୋଜନାରେ ୪୯୫ କୋଟି ଏବଂ ଆରପିଡବ୍ଲୁଏସ୍ ଯୋଜନା ପାଇଁ ୧,୦୦୦ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି । ଏଥିସହିତ ନୂତନ ‘ମିଶନ ପାୱାର’ ଯୋଜନାରେ ୧,୦୦୦ କୋଟି ଟଙ୍କା ବିନିଯୋଗ କରାଯାଇ ୧,୦୪୩ଟି ଅଣ-ସଂଯୋଗୀକୃତ ବସତିକୁ ମୋଟ ୮୯୯୨.୯୭ କି.ମି ସଡ଼କ ଓ ଘାଟ ନିର୍ମାଣ ମାଧ୍ୟମରେ ସଂଯୋଗ କରାଯିବ।
ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ୫,୨୦୦ କି.ମି ସଡ଼କ ଓ ୩୦୦ଟି ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୯,୭୦୦ କି.ମି ନୂତନ ରାସ୍ତା ଓ ୩୫୦ଟି ନୂତନ ସେତୁ ପ୍ରକଳ୍ପ ହାତକୁ ନେବ । ଏଥିସହିତ ୧୪୨ଟି ନିର୍ବାଚନ ମଣ୍ଡଳୀରେ ରାସ୍ତାର ଉନ୍ନତିକରଣ ପାଇଁ ୧୪୨ କୋଟି ଏବଂ ଦୈବୀଦୁର୍ବିପାକରୋଧି ରାସ୍ତା ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଓ ଆର୍ôଥକ ବର୍ଷ ୨୦୨୬-୨୭ରେ କୋଠାବାଡି ନିର୍ମାଣ ନିମନ୍ତେ ୧୦୨.୫୦ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି ।
ରାଜ୍ୟର ଗ୍ରାମାଂଚଳକୁ ଆତ୍ମନିର୍ଭରଶୀଳ କରିବା ଏବଂ ବିକାଶର ସୁଫଳ ଶେଷ ଧାଡ଼ିର ମଣିଷ ପାଖରେ ପହଞ୍ଚାଇବା ପାଇଁ ସରକାର ଏହି ବଜେଟ୍?ରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ‘ସେବା, ସୁବିଧା ଓ ସଶକ୍ତିକରଣ’ ମନ୍ତ୍ରକୁ ପାଥେୟ କରି ଗ୍ରାମୀଣ ଓଡ଼ିଶାର ରୂପରେଖ ବଦଳାଇବା ପାଇଁ ବିଭାଗ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା