




ସମ୍ବଲପୁର, ୧୮, ମାର୍ଚ୍ଚ (ହି.ସ.)
ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଥାନା ଅଞ୍ଚଳରେ ଆଜି ପ୍ରତ୍ୟୁଷରେ ପୋଲିସ ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍କାଉଣ୍ଟରରେ ୪୨ ବର୍ଷିୟ କୁଖ୍ୟାତ ମାଫିଆ ଟିମା ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଥିବା ବେଳେ ତା' ସହ ଥିବା ୩ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ରେଢ଼ାଖୋଲ ଥାନା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ରାସ୍ତାରେ ଭୋର୍ ୫ଟା ୪୫ ମିନିଟ ସମୟରେ ଏହି ଘଟଣା ଘଟିଥିଲା। ପୂର୍ବ ସୂଚନା ଅନୁଯାୟୀ ଗତ ୦୫ ଫେବୃଆରୀରେ ନାକଟିଦେଉଳ ଥାନାରେ ୧୧ କେଭି ଆଲୁମିନିଅମ୍ କଣ୍ଡକ୍ଟର ତାର ଚୋରି ଅଭିଯୋଗ ଉପରେ ପୋଲିସ କୁଖ୍ୟାତ ଟିମା ଓ ତା' ସହଯୋଗୀଙ୍କ ଉପରେ ସନ୍ଦେହ କରିଥିଲା। ଗତ ରାତିରେ ନାକଟିଦେଉଳ ଥାନା ପୋଲିସ ଗୁପ୍ତ ସୂଚନା ପାଇ ଏକ ଦ୍ରୁତଗାମୀ ସନ୍ଦିଗ୍ଧ ବୋଲେରୋ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଅଭିଯୁକ୍ତମାନେ ଗାଡ଼ି ନେଇ ପଳାଇ ଯାଇଥିଲେ। ପୋଲିସ ପ୍ରାୟ ୨୦ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଅନୁସରଣ କରିଥିଲା । ପଛରେ ପୋଲିସ ଗୋଡାଉଥିବା ଜାଣିବା ପରେ ସନ୍ଦିଗ୍ଧ ଅଭିଯୁକ୍ତ ମାନେ ଗାଡିର ନିୟନ୍ତ୍ରଣ ହରାଇ ଶେଷରେ ଡୁମଚାଲି ଜଙ୍ଗଲ ରାସ୍ତାରେ ଗାଡ଼ିଟି ଓଲଟି ପଡ଼ିଥିଲା। ପୋଲିସକୁ ଚକମା ଦେବାପାଇଁ ଟିମା ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ମାତ୍ର ନଛୋଡ ବନ୍ଧା ପୋଲିସ ନିଜ ଆତ୍ମରକ୍ଷାରେ ୨ ରାଉଣ୍ଡ ଗୁଳିଚାଳନା କରିଥିଲା । ସେଥି ମଧ୍ୟରୁ ପୋଲିସର ଗୋଟିଏ ଗୁଳି ଟିମାର ଆଣ୍ଠୁ ତଳେ ବାଜିବା ମାତ୍ରେ ସେ ସେହିଠାରେ ହିଁ ଆଣ୍ଠେଇ ପଡିଥିଲା। ରକ୍ତାକ୍ତ ଆହତ ଅବସ୍ଥାରେ ଟିମାକୁ ପ୍ରଥମେ ରେଢ଼ାଖୋଲ ଉପଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାରକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିଷ୍ଟଲ୍, ୨ଟି ଜୀବନ୍ତ ଗୁଳି, ୫ଟି ଖୋକା, ଗୋଟିଏ ବୋଲେରୋ ଗାଡ଼ି, ତାର କଟର ଓ ଅନ୍ୟାନ୍ୟ ଉପକରଣ ମାନ ଜବତ କରିଛି। ଏହି ଇନକାଉଣ୍ଟର ଘଟଣା ବେଳେ ଉପସ୍ଥିତ ଥିବା ଟିମାର ୩ ସହଯୋଗୀ ସତ୍ୟଜିତ ପାଧାନ (୨୭), ଦିଲୀପ ରାୟ (୩୪) ଓ
ପ୍ରଶାନ୍ତ ମିର୍ଦ୍ଧା (୪୦)କୁ ପୋଲିସ
ଗିରଫ କରିବା ସହ ରେଢ଼ାଖୋଲ ଥାନାରେ ପୋଲିସ ୪୭/୨୬ରେ ଏକ ମାମଲା ରୁଜ କରି ତଦନ୍ତକୁ ଜୋରଦାର କରିଛି । ସୂଚନାଯୋଗ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ଟିମା ବିରୋଧରେ ୪୧ ଟି ଅପରାଧିକ ମାମଲା ରହିଥିବା ବେଳେ ଆଜିର ଏନ୍କାଉଣ୍ଟର ପରେ ସେ ମୋଟ୍ ତୃତୀୟ ଥରପାଇଁ ଗିରଫ ହୋଇଛି । ୨୦୧୯ ରେ ଟିମାକୁ କୁଚିଣ୍ଡା ଥାନା ପୋଲିସ ପ୍ରଥମ ଥର ପାଇଁ ଗିରଫ କରିଥିଲା । ଏହାପରେ ୨୦୨୧ରେ ସ୍ପେସାଲ୍ ସ୍ବାର୍ଡ ପୋଲିସ ଦ୍ବିତୀୟ ଥର ପାଇଁ ଗିରଫ ହୋଇଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ