
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏବଂ ଜଳ ସଂକଟକୁ ସମୟୋପଯୁକ୍ତ ଭାବେ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୂର୍ବ ପ୍ରସ୍ତୁତି ଓ ରକ୍ଷାଣାବେକ୍ଷଣ କାର୍ଯ୍ୟ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ରଘୁରାମ ଆର୍.ଆୟରଙ୍କ ଅଧ୍ୟକ୍ଷତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହାକାଳପଡ଼ା ବ୍ଲକର କିଛି ପଂଚାୟତର ଜନସାଧାରଣ ଲୁଣିଆ ପାଣି ପ୍ରଭାବରେ ସୁରକ୍ଷିତ ପିଇବା ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ଟ୍ୟୁବୱେଲ ଓ ପାଇପ୍ ଜଳଯୋଗାଣ ସ୍ରୋତ ଲୁଣିଆ ପାଣିରେ ପ୍ରଭାବିତ ହୋଇଥିବାରୁ ସ୍ଥାନୀୟ ଲୋକମାନେ ପିଇବା ଓ ରନ୍ଧନ ପାଇଁ ସୁରକ୍ଷିତ ପାଣି ପାଇବାରେ ଅସୁବିଧା ଭୋଗୁଛନ୍ତି। ଏହି ପରିସ୍ଥିତିକୁ ନଜରରେ ରଖି ନଦୀର ପାଣିକୁ ପରିଶୋଧନ ପାଇଁ ୨ଟି ମୋବାଇଲ୍ ୱାଟର ଟ୍ରିଟମେଂଟ ୟୁନିଟ୍ ବ୍ୟବହାର କରାଯାଉଛି। ପରିଶୋଧିତ ପାଣିକୁ ଗ୍ରାମଗୁଡ଼ିକରେ ପହଂଚାଇବା ପାଇଁ ୬ଟି ଟ୍ରାକ୍ଟର ଟ୍ୟାଙ୍କର ନିଯୁକ୍ତ କରାଯାଇଛି। ଏହାଦ୍ୱାରା ପ୍ରାୟ ୧୬,୯୪୪ ଜଣ ଲୋକ ସିଧାସଳଖ ଉପକୃତ ହେଉଛନ୍ତି। ଏହାସହିତ ଜିଲ୍ଲାର ସମସ୍ତ ହାଣ୍ଡପମ୍ପ, ଟ୍ୟୁବୱେଲ୍ ଏବଂ ପାଇପ୍ ଜଳଯୋଗାଣ ଯୋଜନାଗୁଡ଼ିକୁ ମୋବାଇଲ୍ ଟିମ୍ ମାଧ୍ୟମରେ ଯାଂଚ ଓ ମରାମତି କରାଯାଇଛି। ଜିଲ୍ଲାର ୧୭,୮୦୭ଟି ଟ୍ୟୁବୱେଲ୍ ମଧ୍ୟରୁ ଆବଶ୍ୟକ ରକ୍ଷାଣାବେକ୍ଷଣ କାମ ସମାପ୍ତ କରାଯାଇଛି। ଏହାସହ ୪୨୫ଟି ଚଡଝ, ୬୫ଟି ସୋଲାର ଚଡଝ ଓ ୧୮୭ଟି ସୋଲାର ଡୁଆଲ୍ ପମ୍ପ ୟୁନିଟ୍କୁ ଯାଂଚ କରି ଆବଶ୍ୟକ ମରାମତି କରାଯାଇଛି। ଜଳ ସଂକଟ ପ୍ରଭାବିତ ଅଂଚଳଗୁଡ଼ିକରେ ୧୭ଟି ନୂତନ ଟ୍ୟୁବୱେଲ୍ ସ୍ଥାପନ କରାଯାଇଥିବାବେଳେ ଜିଲ୍ଲାରେ ମୋଟ ୩୦ଟି ଜଳ ସଂକଟ ପକେଟ୍ ଚିହ୍ନଟ ହୋଇଛି। ଜଳର ଗୁଣବତା ଓ ପ୍ରାପ୍ତିତା ବୃଦ୍ଧି ପାଇଁ କେତେକ ଟ୍ୟୁବୱେଲ୍କୁ ଅଧିକ ଗଭୀର କରାଯାଇଛି। ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ଜଳ ଆବଶ୍ୟକତା ପୂରଣ ପାଇଁ ଜଳ ଟ୍ୟାଙ୍କର୍ ସେବାକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି। ବର୍ତମାନ ମହାକାଳପଡ଼ା ବ୍ଲକରେ ୭ଟି ଜଳ ଟ୍ୟାଙ୍କର୍ ସହ ୨ଟି ମୋବାଇଲ୍ ଟ୍ରିଟମେଂଟ ୟୁନିଟ୍ କାର୍ଯ୍ୟରତ ଅଛି। ଏହାସହ ଜିଲ୍ଲାର ୯ଟି ବ୍ଲକରେ ୧୨ଟି ମୋବାଇଲ୍ ଟିମ୍ ନିଯୁକ୍ତ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଆହୁରି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ଜଳ ସଂକଟ ସମସ୍ୟାର ସମାଧାନ ପାଇଁ ସମୟୋପଯୁକ୍ତ ପଦକ୍ଷେପ, ସଠିକ ନିରୀକ୍ଷଣ ଓ ତତ୍ପର କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଥିଲେ। ସେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ଋତୁରେ ପାଣି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସଦା ସଚେତନ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି