
ଝାରସୁଗୁଡ଼ା , 18 ମାର୍ଚ୍ଚ (ହି.ସ.) ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଏହି ଅଭିଯାନରେ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯିବା ସହ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।
ବେଲପାହାଡ଼ ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତାପ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୧୬ ଲିଟର ଦେଶୀ ରନ୍ଧା ମଦ (I.D. Liquor) ଜବତ କରାଯିବା ସହ ଏକ ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସଂସାର କାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଛି। ସେହିପରି ଝାରସୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବ୍ରଜରାଜନଗର ଥାନା ଅନ୍ତର୍ଗତ ଲମଟିବାହାଲ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଥିଲା। ସେଠାରୁ ୧୭ ଲିଟର ଓ.ଏସ. (O.S.) ମଦ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଗୁଡ଼ି ଯାଦବ ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଆଗକୁ ଜିଲ୍ଲାରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଆଗାମୀ ଦିନରେ ଏହିପରି ଚଢ଼ାଉକୁ ଆହୁରି ବ୍ୟାପକ କରାଯିବ ବୋଲି ଝାରସୁଗୁଡ଼ା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ