
ଝାରସୁଗୁଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଝାରସୁଗୁଡ଼ା , 18 ମାର୍ଚ୍ଚ (ହି.ସ.) - ଆସନ୍ନ ଜନଗଣନା ୨୦୨୭ କୁ ସୁଚାରୁ ରୂପେ ସମ୍ପାଦନ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଗଣନାକାରୀ ଓ ସୁପରଭାଇଜରମାନଙ୍କୁ ଆନୁଷଙ୍ଗିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଏବଂ ତହସିଲଦାର ସଦାକର କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣାର୍ଥୀମାନଙ୍କୁ ଜନଗଣନାର ଗୁରୁତ୍ୱ ଓ ଏହାର ସଠିକତା ଉପରେ ମାର୍ଗଦର୍ଶନ କରିଥିଲେ। ଜନଗଣନା ୨୦୨୭ ର ରାଜ୍ୟ ସମନ୍ୱୟକ ରବି ରଞ୍ଜନ କୁମାର ଯୋଗଦେଇ ଡିଜିଟାଲ ମୋଡ୍ରେ କିପରି ତଥ୍ୟ ସଂଗ୍ରହ କରାଯିବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମାଷ୍ଟର ଟ୍ରେନର ଜ୍ୟୋତି ନାୟକ ଓ ରୀତାରାଣୀ ନାୟକ ଗଣନାକାରୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ସନ୍ଦେହ ଦୂର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବହୁ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ମଧ୍ୟ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ