
ମାଲକାନଗିରି,୧୮ ମାର୍ଚ୍ଚ (ହି.ସ.) - ଜଣେ ପ୍ରଶାସକ ଯେତେବେଳେ ଜନସାଧାରଣଙ୍କ ସହ ନିଜକୁ ଯୋଡ଼ି ଦିଅନ୍ତି, ସେତେବେଳେ ବିଦାୟ ବେଳା ଅତି କଷ୍ଟଦାୟକ ହୋଇଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ପୂର୍ବତନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ବିଦାୟ ଦେବା ସମୟରେ ଜିଲ୍ଲା ଆଦିବାସୀ ମହାସଂଘର ସଦସ୍ୟମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀ ଉପାଧ୍ୟାୟଙ୍କ ସ୍ନେହୀ ବ୍ୟବହାର ଓ ଜିଲ୍ଲାର ଉନ୍ନତି ପାଇଁ ତାଙ୍କର ନିରନ୍ତର ପ୍ରୟାସକୁ ମନେ ପକାଇ ସେଠାରେ ଉପସ୍ଥିତ ଥିବା ହରିବନ୍ଧୁ ଗୋଲରୀ, ଜାରାଶବର ମାଢି, ପ୍ରଭାକର ହନ୍ତାଳ, ଘେନୁ ମୁଦୁଲି, ବନ୍ଧୁ ମୁଦୁଲି, ଗୋପୀ ପାଙ୍ଗି, ସନାତନ କୱାସୀ, ସୋମା ମାଡକାମୀ, ମୁକା ମାଡକାମୀଙ୍କ ସମେତ ସମସ୍ତ ଆଦିବାସୀ ନେତୃବୃନ୍ଦ ନିଜର ଲୁହ ରୋକି ପାରିନଥିଲେ। ନିଜର ଜଣେ ଆତ୍ମୀୟଙ୍କୁ ହରାଇଲା ଭଳି ସେମାନେ ଅତି ଶ୍ରଦ୍ଧାର ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସ୍ୱଳ୍ପ ଦିନର କାର୍ଯ୍ୟକାଳ ସମୟ ମଧ୍ୟରେ ମାରିୱାଡ଼ା ଗ୍ରାମର ୩୯ ଜଣ ହିତାଧିକାରୀଙ୍କୁ ଘରଡିହ ଜମି ଦଖଲ ଦେଇ ସେ ସେମାନଙ୍କ ଜୀବନରେ ଆଶାର ଆଲୋକ ଭରିଥିଲେ। ଦୂର ପଂଚାୟତରେ ଜନ ଶୁଣାଣୀ କରି ପ୍ରଶାସନକୁ ଲୋକଙ୍କ ପାଖକୁ ନେଇଥିବାରୁ ସେ ଆବାଳବୃଦ୍ଧବନିତାଙ୍କ ଅତି ପ୍ରିୟ ହୋଇପାରିଥିଲେ। ଜନଜାତି ସମ୍ପ୍ରଦାୟର ସଂସ୍କୃତି ଓ ଅଧିକାରକୁ ସୁରକ୍ଷା ଦେବାରେ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ।ଶେଷରେ ପାରମ୍ପାରିକ ବାଜା ଓ ନୃତ୍ୟର ତାଳେ ତାଳେ ବିଦାୟ ଦିଆଯାଉଥିଲେ ମଧ୍ୟ, ସମସ୍ତଙ୍କ ଆଖିରେ ଥିବା ଲୁହର ଧାର ଶ୍ରୀ ଉପାଧ୍ୟାୟଙ୍କ ପ୍ରତି ଥିବା ଗଭୀର ଭଲପାଇବା ଓ ସମ୍ମାନକୁ ପ୍ରତିପାଦିତ କରୁଥିଲା। ମାଲକାନଗିରି ଇତିହାସରେ ଏହି ବିଦାୟ ବେଳା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ