ଝାରସୁଗୁଡା ଜିଲ୍ଲାରେ ୟୁନିସେଫ୍ ଦ୍ୱାରା ଶିଶୁ ବିବାହ ନିବାରଣ ସମୀକ୍ଷା; 'ଅଦ୍ବିକା କେନ୍ଦ୍ର' ପରିଦର୍ଶନ କଲେ ରାଜ୍ୟ ସମନ୍ୱୟକାରୀ
Unicef review on child marriage
ଝାରସୁଗୁଡା ଜିଲ୍ଲାରେ ୟୁନିସେଫ୍ ଦ୍ୱାରା ଶିଶୁ ବିବାହ ନିବାରଣ ସମୀକ୍ଷା; 'ଅଦ୍ବିକା କେନ୍ଦ୍ର' ପରିଦର୍ଶନ କଲେ ରାଜ୍ୟ ସମନ୍ୱୟକାରୀ


ଝାରସୁଗୁଡା , 18 ମାର୍ଚ୍ଚ (ହି.ସ.) - ଜିଲ୍ଲାରେ ଶିଶୁ ବିବାହ ନିବାରଣ ଏବଂ କିଶୋରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ୟୁନିସେଫ୍ର ରାଜ୍ୟ ସହାୟକ ସମନ୍ୱୟକାରୀ (ଚାଇଲ୍ଡ ମ୍ୟାରେଜ୍) ସକୁନ୍ତଳା ଦାଶ ଝାରସୁଗୁଡା ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ଗତ ୧୬ ମାର୍ଚ୍ଚ ଅପରାହ୍ନରେ ଜିଲ୍ଲା ସମାଜ କଳ୍ୟାଣ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ଜୟନ୍ତୀ ଗର୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ବିବାହ ରୋକିବା ପାଇଁ ଏକ ବଳିଷ୍ଠ 'ପାଞ୍ଚବର୍ଷୀୟ କାର୍ଯ୍ୟଯୋଜନା' ଉପରେ ଆଲୋଚନା କରାଯାଇଥିଲା। ଏହି ଯୋଜନାରେ ମୁଖ୍ୟତଃ ସାମାଜିକ ସଚେତନତା, କିଶୋରୀମାନଙ୍କ ସଶକ୍ତିକରଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କ୍ଷେତ୍ର ସ୍ତରରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ସମୀକ୍ଷା ବୈଠକରେ PO-cum-PO ଯାଗ୍ଯସେନୀ ମହାନନ୍ଦ, ସଦର PO ମୀନାକ୍ଷୀ ରାଜ, PO କୃଷ୍ଣପ୍ରିୟା ପ୍ରଧାନ, ଜିଲ୍ଲା ସମନ୍ଵୟକ ହବ୍ ଲିଲେଶ୍ୱର ସାହୁ, DCPO ସୁନନ୍ଦ ମହାରଣାଙ୍କ ସମେତ ଜିଲ୍ଲା ହବ୍ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ୧୭ ମାର୍ଚ୍ଚରେ ସୁଶ୍ରୀ ସକୁନ୍ତଳା ଦାଶ ଜିଲ୍ଲାର ବିଭିନ୍ନ ‘ଅଦ୍ବିକା କେନ୍ଦ୍ର’ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ସେବାର ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ସେ କେନ୍ଦ୍ରରେ ଉପସ୍ଥିତ ଥିବା କିଶୋର ଓ କିଶୋରୀମାନଙ୍କ ସହ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନ ଶୈଳୀ ସମ୍ପର୍କରେ ମତ ବିନିମୟ କରିଥିଲେ। ବିଶେଷ କରି ଶିଶୁ ବିବାହ ଭଳି କୁପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ‘ଅଦ୍ବିକା କେନ୍ଦ୍ର’ ଗୁଡିକ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରାଇବାରେ ଏକ ପ୍ରମୁଖ ମାଧ୍ୟମ ସାଜିଛି। ୟୁନିସେଫ୍ ପକ୍ଷରୁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରାଯିବା ସହ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande