ଜିଲ୍ଲାପାଳଙ୍କ ବ୍ରଜରାଜନଗର ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
Collectors visit to Brajrajnagar
ଜିଲ୍ଲାପାଳଙ୍କ ବ୍ରଜରାଜନଗର ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା


ଝାରସୁଗୁଡା, ୫ ମାର୍ଚ୍ଚ (ହି.ସ.)- ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଲକ୍ଷ୍ୟରେ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ବିଭିନ୍ନ ପ୍ରସ୍ତାବିତ ଓ ନିର୍ମାଣଧୀନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରିଛନ୍ତି। ବିଶେଷ କରି କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଇଣ୍ଡୋର ଷ୍ଟାଡିୟମ୍ ଏବଂ ସାଂସ୍କୃତିକ ବିକାଶ ପାଇଁ ନିର୍ମାଣଧୀନ ଡ୍ରାମା ପେଣ୍ଡାଲର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୋଲ ଛକ ପଡିଆର ଉନ୍ନତିକରଣ ଓ ସ୍ଥାନୀୟ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ ସମ୍ପର୍କରେ ସଂପୃକ୍ତ ବିଭାଗ ସହ ଆଲୋଚନା କରିଛନ୍ତି।ସହରର ପରିବେଶ ଓ ପର୍ଯ୍ୟଟନର ବିକାଶ ପାଇଁ ଇବ୍ ନଦୀ କୂଳରେ ଥିବା ପିକନିକ୍ ସ୍ପଟ୍ର ପୁନରୁଦ୍ଧାର ଏବଂ ନଦୀ ତଟର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିସହ ଇକୋ ପାର୍କ ଏବଂ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଆଧୁନିକ ଶ୍ମଶାନ ନିର୍ମାଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଗୋଟିଏ ଅତ୍ୟାଧୁନିକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲାପାଳ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରର ଗମନାଗମନ ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ବେଆଇନ ଅବରୋଧ ଉଚ୍ଛେଦ କରିବା ସହ ରାସ୍ତାକୁ ସଫାସୁତୁରା ରଖିବା ଓ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande