
-ବକେୟା ଥିବା ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ଏବଂ 'ଭୂଲେଖ' ଡାଟାବେସରେ ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ସଂଶୋଧନ ଆଇନରେ ଉଲ୍ଲିଖିତ ଅଧିକାର ଅନୁଯାୟୀ ରାଜସ୍ୱ ବିଭାଗ ଦ୍ୱାରା ସେଥିରେ ନିର୍ଦ୍ଦିଷ୍ଟ ଥିବା ଜଙ୍ଗଲ ଜମିର ଅନ୍ତିମ ନକ୍ସା ପ୍ରସ୍ତୁତ କରାଯିବ । ରାଜସ୍ୱ ଅଥବା ଜଙ୍ଗଲ ବିଭାଗର ଯେଉଁ ରେକର୍ଡ଼ରେ ସେହି ଜମି ରହିଛି, ସମ୍ପୃକ୍ତ କର୍ତୃପକ୍ଷ ସେହି ରେକର୍ଡ଼ରେ ତାକୁ ସମ୍ମିଳିତ କରିବେ କ୍ଷ ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି ।ରାଜ୍ୟର ନିୟମର ପ୍ରାସଙ୍ଗିକତାକୁ ନେଇ ଦିଆଯାଇଥିବା ସମୟସୀମା କିମ୍ବା ତିନିମାସର ସମୟସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଚିଠିରେ ଉଲ୍ଲେଖ ରହିଚି ।
ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କୁ କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତ ହୋଇଥିବା ଜଙ୍ଗଲ ଜମିର ପର୍ଯ୍ୟବେକ୍ଷଣ କରି, ବକେୟା ଥିବା ଜଙ୍ଗଲ ଜମି ସ୍ୱତ୍ୱ ଗୁଡ଼ିକର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍)ସହ 'ଭୂଲେଖ' ଡାଟାବେସରେ ବକେୟା ଥିବା ପଟ୍ଟା ଓ ନକ୍ସା ସଂଶୋଧନ କାର୍ଯ୍ୟକୁ ୩୦ ଏପ୍ରିଲ୍ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମ୍ବନ୍ଧୀୟ ସମସ୍ତ ସଂଶୋଧିତ ସୂଚନା ସରକାରୀ ରେକର୍ଡ଼ରେ ତୁରନ୍ତ ସମ୍ମିଳିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ହିତାଧିକାରୀମାନଙ୍କ ଅଧିକାରର ସୁରକ୍ଷା ହେବା ସହ ସେମାନେ ସଠିକ୍ ଭାବରେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇପାରିବେ ବୋଲି ରାଜସ୍ୱ ସଚିବ ଆଶାବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା