



ବଲାଙ୍ଗିର 7 ମାର୍ଚ୍ଚ (ହି.ସ.)
: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନ କେବଳ ଟୀକା ପ୍ରଦାନରେ ସୀମିତ ନୁହେଁ, ବରଂ ଆଗାମୀ ପିଢିକୁ ଜରାୟୁ କର୍କଟ ଭଳି ଗୁରୁତର ରୋଗରୁ ସୁରକ୍ଷା କରିବାରେ ଏକ ମଜବୁତ ପଦକ୍ଷେପ। ପ୍ରତିବର୍ଷ ହଜାରହଜାର ମହିଳା ଏହି ରୋଗରେ ପ୍ରଭାବିତ ହେଉଥିବାବେଳେ, ମାଗଣା ଟୀକାକରଣ ମାଧ୍ୟମରେ ଏହାରୁ ମୁକ୍ତି ମିଳିପାରିବ ।
ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଚ୍ପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ଏବଂ ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଦେଶବ୍ୟାପୀ ଏଚ୍ପିଭି ଟୀକାକରଣ ଅଭିଯାନରେ ଝିଅଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ “ଯୁଗାନ୍ତକାରୀ” ପଦକ୍ଷେପ ବୋଲି କହିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଦ୍ଵାରା ‘ସୁସ୍ଥ ନାରୀ, ସଶକ୍ତ ପରିବାର, , ସଶକ୍ତ ଓଡିଶା ତଥା ସଶକ୍ତ ଭାରତ’ ଗଠନ କରିବାରେ ସଫଳ ହୋଇପାରିବା । ଜରାୟୁ କର୍କଟ ରୋକିବା ପାଇଁ ଦେଶର କନ୍ୟାମାନଙ୍କୁ ମାଗଣାରେ ଟୀକା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ତୃଣାମୂଳସ୍ତରରେ ଏହି ଅଭିଯାନର ପ୍ରଚାରପ୍ରସାର କରି ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ଜନପ୍ରତିନିଧି, ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେ ଅନୁରୋଧ କରିଥିଲେ ।ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ କିଶୋରୀମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ତ ଚିକିତ୍ସକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଜିଲ୍ଲାବ୍ୟାପୀ ଏଚ୍ପିଭି ଟୀକାକରଣ ଅଭିଯାନରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମାଗଣାରେ ଟୀକା ପ୍ରଦାନ କରାଯିବ। ଅଭିଭାବକଙ୍କ ସହମତି ପରେ ହିଁ ଟୀକାକରଣ କରାଯିବା ସହିତ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯିବ। ପ୍ରଥମ ୩ ମାସ ମିଶନ ମୋଡ୍ରେ ଚାଲିବାକୁ ଥିବା ଏହି ଅଭିଯାନରେ ୧୪-୧୫ ବର୍ଷୀୟ କିଶୋରୀମାନେ ନିର୍ଦ୍ଧାରିତ କେନ୍ଦ୍ରରେ ଟୀକା ନେଇପାରିବେ। ପରବର୍ତ୍ତୀ ସମୟରେ ଏହାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ସ୍କୁଲ ଓ ସ୍ଥାନୀୟ ବିଭାଗ ଯୋଗ୍ୟ ତାଲିକା ପ୍ରସ୍ତୁତ କରିବେ, ଯେଉଁମାନେ ସ୍କୁଲରେ ପଢୁନାହାନ୍ତି ସେମାନେ ଆଧାର କାର୍ଡ ବା ସ୍କୁଲ ଆଇଡି ସହିତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ । ପ୍ରଶିକ୍ଷିତ ନର୍ସ ବା ଡାକ୍ତରଙ୍କ ଦ୍ୱାରା ଟୀକା ପ୍ରଦାନ କରାଯିବ ଏବଂ ପିଲାଙ୍କୁ ୧୫-୩୦ ମିନିଟ ପର୍ଯ୍ୟନ୍ତ ସେଣ୍ଟରରେ ରଖାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ