

ସମ୍ବଲପୁର, ୦୫, ମାର୍ଚ୍ଚ (ହି.ସ.)
ବୁର୍ଲା ଥାନା ଅନ୍ତର୍ଗତ ଗୋସାଳା ନିକଟରେ ଜଣେ ଯୁବକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆହତ ଯୁବକ ନବୀନ ହେର୍ଣ୍ଣା ଏବେବି ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ରାତି ପ୍ରାୟ ୯ଟା ବେଳେ ନବୀନ ହେର୍ଣ୍ଣା ଓ ତାଙ୍କ ସାଙ୍ଗ ରୋହନ ନାଗ୍ ଗୋଶାଳା ଛକରେ ବୁଲୁଥିବା ସମୟରେ କିଛି ଯୁବକଙ୍କ ସହ ତାଙ୍କର ବାଦବିବାଦ ହୋଇଥିଲା। ପରେ ସେମାନେ ଆଇଆଇଏମ୍ ରୋଡ଼ ଆଡକୁ ଯାଉଥିବା ବେଳେ ଗୋଶାଳାର ସମଲେଶ୍ୱରୀ ବିସ୍କୁଟ ଗୋଦାମ ନିକଟରେ ଅଭିଯୁକ୍ତମାନେ ପୁଣି ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଶାନ୍ତନୁ ଭୁଏ ନାମକ ଅଭିଯୁକ୍ତ ଏକ ଛୁରୀରେ ନବୀନଙ୍କ ପେଟ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ନବୀନ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ।
ଘଟଣା ପରେ ତାଙ୍କୁ ତୁରନ୍ତ ବୁର୍ଲା ଭିମସାରକୁ ନିଆ ଯାଇଥିଲା । ଯେଉଁଠାରେ ଏବେବି ନବୀନ ଚିକିତ୍ସାଧୀନ ରହିଛନ୍ତି।
ଏହି ଘଟଣାରେ ବୁର୍ଲା ଥାନାରେ ୧୧୧/୨୬ ରେ ପୋଲିସ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ପୋଲିସ ଶାନ୍ତନୁ ଭୁଏ (୩୧), ଆକାଶ ବେହେରା (୨୧), ରାହୁଲ ନାଏକ (୨୪) ଓ ଦେବାଶିଷ ଭଞ୍ଜ (୨୫)କୁ ଗିରଫ କରିବା ସହ ଏହି ଘଟଣାରେ ବ୍ୟବହୃତ ଗୋଟିଏ ଛୁରୀ ଜବତ କରିଛି। ପୋଲିସ ସମସ୍ତ ଗିରଫ
ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ