
ସମ୍ବଲପୁର, ୫ ମାର୍ଚ୍ଚ (ହି.ସ.)- ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଅଧୀନରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆଙ୍କ ଜାତୀୟ ନିର୍ଦ୍ଦେଶିକା ଅନୁସାରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୨୦୨୬ ମସିହାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁର ଜିଲ୍ଲାରେ ୬ରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ତିନି ଦିନିଆ କାର୍ଯ୍ୟକ୍ରମ ୮ ମାର୍ଚ୍ଚ ଅନ୍ତର୍ଜାତୀୟ ନାରୀ ଦିବସ ଦିନ ଉଦଯାପନ ସହିତ ସମାପ୍ତ ହେବ। ନାରୀମାନଙ୍କ ଶାରୀରିକ ଫିଟନେସ୍, ସୁରକ୍ଷା, ନେତୃତ୍ୱ ଏବଂ କ୍ରୀଡ଼ା ଓ ସାମାଜିକ କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ସହଭାଗୀ ମୂଳକ, ପ୍ରେରଣାଦାୟକ ଓ ସମୁଦାୟ ଭିତ୍ତିକ ଭାବେ ଆୟୋଜନ କରାଯିବ। ୬ ମାର୍ଚ୍ଚ (ପ୍ରଥମ ଦିବସ):ପ୍ରଥମ ଦିନର ଥିମ୍ ‘ଶକ୍ତି ସ୍ୱରିପିଣୀ ’ ରହିଛି। ଏହି ଦିନରେ ନାରୀମାନଙ୍କ ଶାରୀରିକ ଫିଟନେସ୍, ପୋଷଣ ଓ ମାନସିକ ସୁସ୍ଥତା ଉପରେ ଗୁରୁତ୍ୱ ଦିଆଯିବ। ଏହି ଅବସରରେ ସମୂହ ଯୋଗା ସେସନ୍, ଜୁମ୍ବା, ଏରୋବିକ୍ସ, ପାରମ୍ପରିକ ନୃତ୍ୟ ଫିଟନେସ୍ ଭଳି ବିଭିନ୍ନ ଶାରୀରିକ କ୍ରିୟାକଳାପ ଭିଏସଏସ୍ ଇଣ୍ଡୋର ଷ୍ଟାଡିୟମରେ ପୂର୍ବାହ୍ନ ସାଢ଼େ ୬ଟା ରେ ଆୟୋଜନ କରାଯିବ।
୭ ମାର୍ଚ୍ଚ (ଦ୍ୱିତୀୟ ଦିବସ):ଦ୍ୱିତୀୟ ଦିନର ଥିମ୍ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ରହିଛି। ଏହି ଦିନରେ ନାରୀମାନଙ୍କ ସୁରକ୍ଷା, ସ୍ୱୟଂରକ୍ଷା, ନେତୃତ୍ୱ ଓ କ୍ୟାରିଅର ସଚେତନତା ଉପରେ ଆଲୋଚନା ଗୁରୁତ୍ୱ ଦିଆଯିବ । ଏହା ସହିତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ନେତୃତ୍ୱ ସମ୍ବନ୍ଧୀୟ ସଚେତନତା ସଭା ଏବଂ ଜୁଡୋ, ବକ୍ସିଂ, କାରାଟେ, ମୁଏ ଥାଇ ଇତ୍ୟାଦି ଯୁଦ୍ଧକଳାର ସ୍ୱୟଂରକ୍ଷା ପ୍ରଦର୍ଶନ ଓ ପ୍ରଶିକ୍ଷଣ ଭିଏସଏସ୍ ଇଣ୍ଡୋର ଷ୍ଟାଡିୟମରେ ପୂର୍ବାହ୍ନ ସାଢ଼େ ୬ଟା ରେ ଆୟୋଜନ କରାଯିବ। ୮ ମାର୍ଚ୍ଚ ତୃତୀୟ ଦିବସ ତଥା ସମାପନୀ ଅବସରରେ: ତୃତୀୟ ଦିନର ଥିମ୍ ‘ଶକ୍ତିର ଗତି , ରାଷ୍ଟ୍ରର ପ୍ରଗତି’ ରହିଛି। ଏହି ଦିନରେ ୫ କିଲୋମିଟର ପାୱର୍ ୱାକ୍ ବା ମାରାଥନ୍ ଆୟୋଜନ କରାଯିବ ।
ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରୀମାନେ, ଖେଲୋ ଇଣ୍ଡିଆ ସେଣ୍ଟରର ମହିଳା କ୍ରୀଡ଼ାଳୁ ଓ ପ୍ରଶିକ୍ଷୁମାନେ, ମିଶନ୍ ଶକ୍ତିର ଏସ୍ଏଚ୍ଜି ସଦସ୍ୟାମାନେ, କାର୍ଯ୍ୟରତ ନାରୀ, ଗୃହିଣୀମାନେ, ମହିଳା ପୋଲିସ୍ କର୍ମଚାରୀ ଏବଂ ଏନଜିଓ ଏବଂ ସମୁଦାୟ ଗୋଷ୍ଠୀମାନେ ଅଂଶଗ୍ରହଣ କରିବେ। ଏହି ସମସ୍ତ କାର୍ଯ୍ୟକ୍ରମ କେବଳ ନାରୀମାନଙ୍କ ପାଇଁ ଆୟୋଜିତ ହେବାକୁଥିବା ବେଳେ ଜିଲ୍ଲାର ସମସ୍ତ ନାରୀଙ୍କୁ ଉତ୍ସାହପୂର୍ଣ୍ଣ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁରୋଧ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ