

ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ଆସନ୍ତା ୮ ମାର୍ଚ୍ଚ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ବୈଠକ ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ନେହରୁ ଯୁବ କେନ୍ଦ୍ର ସଂଘଠନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ତା.୦୬.୦୩.୨୦୨୬ରିଖ ସକାଳ ୬.୩୦ରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସମୂହ ଯୋଗ ଶିବିର ଅନୁଷ୍ଠିତ ହେବ । ୦୭.୦୩.୨୦୨୬ ତାରିଖ ସକାଳ ୬.୩୦ରେ ସେହି ସ୍ଥାନରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ୦୮.୦୩.୨୦୨୬ ତାରିଖ ସକାଳ ୬.୩୦ରୁ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରୁ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ୱକାଥନ ଆୟୋଜିତ ହେବ । ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ବିଜୟୀଙ୍କୁ ପୁରସ୍କୃତ କରାଯିବ । ସେହିଭଳି ୮ ମାର୍ଚ୍ଚ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଭୀମଭୋଇ ମେଡିକାଲ କଲେଜର ଅଡିଟୋରିୟମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେଥିରେ ସୁଭଦ୍ରା ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିର ଅର୍ଥ ପ୍ରଦାନ କରାଯିବ ।
ଉକ୍ତ କାର୍ଯ୍ୟକ୍ରମରେ ପିଆରଆଇ ମେମ୍ବର, ସୁଭଦ୍ରା ହିତାଧିକାରୀ, ଏସଏଚଜି ମା, କିଶୋରୀ ବାଳିକା, ବଲାଙ୍ଗିର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସାମିଲ ହେବେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀଙ୍କୁ ପୁରସ୍କୃତ କରାଯିବ । ଏହା ସହିତ, ସ୍ଵକ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଆଜିର ଏହି ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ