
ରାଉରକେଲା, ୫ ମାର୍ଚ୍ଚ (ହି.ସ.)- ରାଉରକେଲା ସହରରେ ହୋଲି ଖେଳ ବେଳେ ସେକ୍ଟର ୬ ବସ୍ତିରେ ସନ୍ଧ୍ୟା ସମୟରେ ଦୁଇ ଗୋଷ୍ଠୀ ଭିତରେ ଖଣ୍ଡା, ବନ୍ଧୁକ ନେଇ କୁରୁକ୍ଷେତ୍ର ସ୍ଥିତି ହୋଇଥିବାବେଳେ ପୁଲିସ ଲୋକଙ୍କୁ ବଞ୍ଚାଇ ପାରିଲାନି। ଫଳରେ ୧୮ଜଣ ଗୁରୁତର ହୋଇଥିବା ବେଳେ ଗୋଟିଏ ଛୋଟ ଛୁଆ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି। ଏହି ଘଟଣାରେ ସେକ୍ଟର ୭ ପୁଲିସ ଆହତଙ୍କୁ ନ୍ୟାୟ ଦେଇପାରିନଥିବାରୁ ଶତାଧିକ ପରିବାର ଆଜି ଏସପି ରାଉରକେଲାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ରଘୁନାଥପଲ୍ଲୀ ବିଧାୟକଙ୍କ ପାଖକୁ ଯିବାରୁ ସେ ଗେଟ ଖୋଲିଲେନି ବୋଲି ବସ୍ତିବାଲା କହିଛନ୍ତି। ହୋଲି ଖେଳ ବେଳେ ପୁଲିସର କୌଣସି ନିୟନ୍ତ୍ରଣ ନ ରହିବା, ନିଶା କାରବାର ଖୋଲାଖୋଲି ହେବା ଯୋଗୁ ଅସାମାଜିକ ମାନେ ନିଶା ନେଇ ଏହି ବସ୍ତିରେ କୁରୁକ୍ଷେତ୍ର ସୃଷ୍ଟି କରିଥିବା ଖବର ମିଳିଛି। ପୁଲିସ ଲୋକଙ୍କୁ ସୁରକ୍ଷା ଦେଇପାରୁନି, ଅସାମାଜିକ ମାନେ ମନଇଛା କାରବାର କରୁଛନ୍ତି, ଲୋକେ ମଲା ପରେ କିମ୍ବା ମାଡ ଖାଇ ମେଡିକାଲକୁ ଜିବା ପରେ ପୁଲିସ କହୁଛି ଦେଖିବା। ଏଭଳି ସ୍ଥିତି ସହର ବାସୀଙ୍କ ଲାଗି ଅନେକ ବିପଦ ଆଣିଥିବା କୁହାଯାଉଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ