
ପୁରୀ, ୬ ମାର୍ଚ୍ଚ (ହି.ସ.)- ଶୁକ୍ରବାର ପୂର୍ବାହ୍ନ ସାଢେ ଏଗାରଟା ବେଳେ ଗଡିଶାଗଦା ଥାନାର ଏସଆଇ ଟି. କେ. ମିଶ୍ରଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିଲେ | ଏହି ସମୟରେ ଗୁପ୍ତ ସୂଚନା ପାଇଥିଲେ ଯେ, କଳାମାଟି ଗ୍ରାମର ରାମ ରଞ୍ଜନ ମହାପାତ୍ର ନାମକ ବ୍ୟକ୍ତି ତାଙ୍କ ଘରେ ବହୁ ପରିମାଣରେ ଗନ ପାଉଡର ଓ ବାଣ ତିଆରି ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ସଞ୍ଚୟ କରି ରଖିଛି । ଏହି ସୂଚନା ପାଇ ପୋଲିସ ଦଳ ତତ୍କ୍ଷଣାତ୍ ଘଟଣାସ୍ଥଳରେ ଚଢଉ କରିଥିଲେ। ଚଢଉ ସମୟରେ ଉକ୍ତ ସ୍ଥାନରୁ ମୋଟ ୮୫ କେଜି ଗନ ପାଉଡର, ୧୭୫ଟି ଘଡ଼ି, ୨୦ଟି ସିଙ୍ଗଲ୍ ସଟ୍ ଓ ୫୦ଟି ନଡ଼ିଆ ବୋମା ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ରାମ ରଞ୍ଜନ ମହାପାତ୍ର ସ୍ଥାନ ଛାଡ଼ି ପଳାଇ ଯାଇଛି।ବର୍ତ୍ତମାନ ସେ ଫେରାର ରହିଛି। ଏ ସମ୍ପର୍କରେ ଗଡିଶାଗଦା ଥାନା କେସ୍ ନଂ ୪୬/୨୬ ଧାରା ୪/୫ ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି | ପୋଲିସ ତଦନ୍ତ ଜାରି ରହିଛି। ପଳାତକ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ