ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟରେ ହରିଲୁଟ ଚିଠା ଲମ୍ବୁଛି : କଂକ୍ରିଟ ନାମରେ ଫେବରବ୍ଲକ ଦେଇ ଠକିଦେଲେ ଅଧିକାରୀ
ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟ ଗୁଡିକରେ ବିଭାଗ ପକ୍ଷରୁ ନିମ୍ନ ମାନର କାମ କରି ବିଭିନ୍ନ ଉପାୟରେ ଅନୁଦାନ ଟଙ୍କାକୁ ହରିଲୁଟ କରାଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ତା
ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟରେ ହରିଲୁଟ ଚିଠା ଲମ୍ବୁଛି : କଂକ୍ରିଟ ନାମରେ ଫେବରବ୍ଲକ ଦେଇ ଠକିଦେଲେ ଅଧିକାରୀ


ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟ ଗୁଡିକରେ ବିଭାଗ ପକ୍ଷରୁ ନିମ୍ନ ମାନର କାମ କରି ବିଭିନ୍ନ ଉପାୟରେ ଅନୁଦାନ ଟଙ୍କାକୁ ହରିଲୁଟ କରାଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ତା'ର ବିପରୀତ ପ୍ରତିଫଳନ ଦେଖିବାକୁ ମିଳୁଛି। ପ୍ରତି ପଞ୍ଚାୟତରେ ଦୁର୍ନୀତିର ଫର୍ଦ ଲମ୍ବି ଚାଲିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତରେ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ ରଜିଆ ପଞ୍ଚାୟତ ଅନ୍ତର୍ଗତ ଦୋଳିତା ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୪ - ୨୫, ଅଟକଳ ମୂଲ୍ୟ ଚାରି ଲକ୍ଷ ଟଙ୍କା ଅନୁଦାନରେ ୨୦ ନମ୍ବର ଜାତୀୟ ରାଜପଥ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଅଛି। ଏହି ରାସ୍ତାର କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଚମ୍ପୁଆ ରହିଥିବା ବେଳେ ସୂଚନା ଫଳକରେ ଏହାର କାର୍ଯ୍ୟାରମ୍ଭ ତାରିଖ କିମ୍ବା କାର୍ଯ୍ୟର ଶେଷ ତାରିଖ ଲେଖା ଯାଇନାହିଁ । ତେବେ ସୂଚନା ଫଳକରେ କଂକ୍ରିଟ ରାସ୍ତା ଲେଖାଯାଇଥିବା ବେଳେ ଏହି ରାସ୍ତାରେ ଫେବରବ୍ଲକ ବିଛା ଯାଇଛି। କେବଳ ଫେବରବ୍ଲକ ବିଛାଇ ନିଜର ଦାୟିତ୍ୱ ସାରିଦେଇଛି ବିଭାଗ। ରାସ୍ତା କଡରେ ମାଟି ମଧ୍ୟ ପକା ଯାଇ ନାହିଁ। ତା' ସହିତ ଏହି ଫେବର ବ୍ଲକ ରାସ୍ତା କାମ ଏତେ ନିମ୍ନ ମାନର ହୋଇଛି ଯେ କାର୍ଯ୍ୟାଦେଶର ଏକ ବର୍ଷ ନ ପୁରୁଣୁ ରାସ୍ତାରେ ଫାଟ ସହିତ ବିଛା ଯାଇଥିବା ଫେବର ବ୍ଲକ ଇଟା ଗୁଡିକ ଢଳ ଢଳ ହୋଇ ହଲିବା ସହିତ ଅନେକ ଭାଙ୍ଗି ନଷ୍ଟ ହୋଇ ଗଲାଣି। ଫଳରେ ଏହି ରାସ୍ତାର ସ୍ଥାୟିତ୍ଵକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କଂକ୍ରିଟ ରାସ୍ତା ନାମରେ ନିମ୍ନମାନର ଫେବରବ୍ଲକ କାମ କରି ସ୍ଥାନୀୟ ଲୋକଙ୍କୁ ଠକି ଦେଇଛି ବିଭାଗ। ରାସ୍ତାଟି ଦୋଳିତା ଗ୍ରାମର ଆଦିବାସୀ ମୁଣ୍ଡା ସାହିକୁ ଯାଇଥିବାରୁ ଜାଣି ଜାଣି ବିଭାଗୀୟ ଅଧିକାରୀ ମାନେ ବିଧିବଦ୍ଧ ଭାବେ ଯୋଜନାନୁସାରେ ନିମ୍ନମାନର କାମ କରି ଅନୁଦାନ ଟଙ୍କାକୁ ହରିଲୁଟ କରିଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି ସାହି ବାସିନ୍ଦା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏ ସମ୍ପର୍କରେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande