ରାଜା କୋଡ ୱାର୍ଡ ରେ ଚାଲିଛି ଗଞ୍ଜେଇ କାରବାର, ଅବକାରୀ ବିଭାଗ ବେଫିକର୍
ଭୁବନ, ୬ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ତରଫରୁ ରୀତିମତ ଚଢ଼ଉ ହେଉନଥିବା କାରଣରୁ ଗଞ୍ଜେଇ ବେପାର ବୃଦ୍ଧି ପାଇବାରେ ଲାଗିଛି। ବେପାରୀ ମାନେ କୋଡ ୱାର୍ଡ ରାଜା ନାମରେ ଅବାଧରେ ଗଞ୍ଜେଇ କାରବାର କରୁଛନ
ରାଜା କୋଡ ୱାର୍ଡ ରେ ଚାଲିଛି ଗଞ୍ଜେଇ କାରବାର, ଅବକାରୀ ବିଭାଗ ବେଫିକର୍


ଭୁବନ, ୬ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ତରଫରୁ ରୀତିମତ ଚଢ଼ଉ ହେଉନଥିବା କାରଣରୁ ଗଞ୍ଜେଇ ବେପାର ବୃଦ୍ଧି ପାଇବାରେ ଲାଗିଛି। ବେପାରୀ ମାନେ କୋଡ ୱାର୍ଡ ରାଜା ନାମରେ ଅବାଧରେ ଗଞ୍ଜେଇ କାରବାର କରୁଛନ୍ତି । ଗତ ମାସରେ ସରକାର ନିକୋଟିନ୍ ଯୁକ୍ତ ମାଦକ ଦ୍ରବ୍ୟ ବନ୍ଦ କରିଥିଲେ । ସେହି କିଛିଦିନ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଓ ଧରପଗଡ ଚାଲିଥିଲା । ଫଳରେ ମାଫିଆ ମାନେ ଲୁଚା ଚୋରାରେ ବିକ୍ରି କରୁଥିଲେ । କେଉଁ ଅଦୃଶ୍ୟ କାରଣରୁ ପୁଣି କିଛି ଦିନ ପରେ ବିକ୍ରୟ ପାଇଁ ସରକାର ଅନୁମତି ଦେବାରୁ ଲୁଚା ଛପାରେ ଚାଲିଥିବା ବ୍ୟବସାୟ ବର୍ତମାନ ଖୁଲମ୍ ଖୋଲା ହୋଇଯାଇଛି । ଭୁବନ ବ୍ଲକ, ଏନ୍ ଏ ସି ର ବିଭିନ୍ନ ପାନ ଦୋକାନରେ ରାଜା ନାମରେ ପରିଚିତ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଗୋଟାକ ୧୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ବର୍ତମାନ ଗୋଟା ୨୦ ଟଙ୍କାରେ ବିକ୍ରୟ ହେଉଛି । ଶସ୍ତା ଏବଂ ଅଧିକ ନିଶା ଯୋଗୁ ସ୍ୱଳ୍ପ ରୋଜଗାର କରୁଥିବା ଶ୍ରମିକ, ଦିନ ମଜୁରିଆ ମାନେ କଷ୍ଟ ଲାଘବ ପାଇଁ ଗଞ୍ଜେଇ ଉପରେ ନିର୍ଭର କରୁଥିବା ବେଳେ କଲେଜ ପଢୁଆ ଯୁବପିଢ଼ି ସଉକ ପାଇଁ ଗଞ୍ଜେଇ ସିଗାରେଟ୍ ବ୍ୟବହାର କରୁଛନ୍ତି । ଅବାଧରେ ଗଞ୍ଜେଇ ସିଗାରେଟ୍ ମିଳିଯାଉଥିବାରୁ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ସନ୍ଧ୍ୟା ସମୟରେ ଖୋଲା ଜାଗାରେ ଗଞ୍ଜେଇ ସେବନକାରୀଙ୍କ ଆଡ୍ଡା ଜମୁଛି । ବିଭିନ୍ନ ମଠ, ମନ୍ଦିର ଓ ଘରେ ତ୍ରିନାଥ ମେଳା, ପଞ୍ଚାନନ ମେଳାରେ ଭୋଗ ବା ପ୍ରସାଦ ଭାବେ ବ୍ୟବହାର ହେଉଥିବା ଗଞ୍ଜେଇର ଏବେ କଳେବର ବୃଦ୍ଧି ପାଇବାରେ ଲାଗିଛି।

ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ କେନାଲ ଅଞ୍ଚଳ ଗଞ୍ଜେଇ କାରବାରର ମୁଖ୍ୟ ପେଣ୍ଠ ସ୍ଥଳ (ଡିପୋ) କୁହାଯାଉଥିବା ବେଳେ ୨ ନମ୍ବର ଓ ୭ ନମ୍ବର ୱାର୍ଡ ବ୍ୟବସାୟର ମୁଖ୍ୟ ଅଞ୍ଚଳ ବୋଲି କୁହାଯାଉଛି । ମାତ୍ରାଧିକ ଗଞ୍ଜେଇ ସେବନ କାରଣରୁ ଅକାଳରେ ହୃଦଘାତରେ ଅନେକ ଯୁବକଙ୍କ ମୃତ୍ୟୁ ହେଉଛି । ଅବକାରୀ ବିଭାଗର ବଟିଖିଆ ନୀତି ଯୋଗୁଁ ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଭୁବନ, ଆଉ ଅକାଳ ରେ ଚାଲିଯାଉଛି ଭେଣ୍ଡିଆଙ୍କ ଜୀବନ । ଏହାକୁ ନେଇ ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ନାଗରିକ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଶସ୍ତା ଲୋକପ୍ରିୟତା, ରେକର୍ଡ ମେଣ୍ଟେନ ଓ ଫାଇନ କାଟି ରାଜସ୍ବ ଆୟ ବୃଦ୍ଧି ପାଇଁ ପାନ ଦୋକାନ ମାନଙ୍କରେ ଯାଞ୍ଚ ଓ ଚଢ଼ଉ କରା ନଯାଇ ସିଧା ଗଞ୍ଜେଇ କାରବାରର ଡିପୋରେ ଅତର୍କିତ ଭାବେ ଚଢ଼ଉ କରାଗଲେ ମାଫିଆ ସାବାଡ଼ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande