



ବଲାଙ୍ଗୀର,୦୬ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ମଂଚାସୀନ ଥିଲେ। ଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଗ୍ରୀଷ୍ମ ପ୍ରବାହରୁ ବର୍ତିବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଅଂଶୁଘାତ ଉପଶମ ଗୃହର ସୁଚାରୁ ପରିଚାଳନା ଲାଗି ଆବଶ୍ୟକ ନିଷ୍ପତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଅନ୍ୟ ଜରୁରୀ କାର୍ଯ୍ୟଗୁଡିକୁ ଗୁରୁତର ସହିତ ତୁଲାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗରମ ସମ୍ବନ୍ଧୀୟ ରୋଗ ପରିଚାଳନା ପାଇଁ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତି ହୋଇଛି।
ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବା, ଜଳ ଅଭାବ ଅଂଚଳ ଚିହ୍ନଟ, ନଳକୂପ ରକ୍ଷଣାବେକ୍ଷଣ ଓ ପାଇପ୍ ଜଳ ସରବାହ ପାଇଁ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି, ଓମର ଚବମଳ ବ୍ୟବସ୍ଥା, ବସ୍ଷ୍ଟାଣ୍ଡରେ ବିଶ୍ରାମସ୍ଥଳୀ ଓ ବିଭିନ୍ନ ଛକରେ ପାନୀୟ ଜଳ ସେବା କେନ୍ଦ୍ରର ବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପଶୁପକ୍ଷୀଙ୍କ ପାଇଁ ଚହଲା ଖୋଳିବାକୁ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା। ଗରମର ପ୍ରଭାବକୁ ଦୃଷ୍ଟିରେ ରଖି କୃଷି ଉତ୍ପାଦନ କ୍ଷେତ୍ରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବନ୍ୟପ୍ରାଣୀ ଓ ପଶୁପକ୍ଷୀଙ୍କ ପାଇଁ ପାଣି ସୁବିଧା ସୁନିଶ୍ଚିତ କରିବା, ପୋଖରୀ ଓ ଜଳାଶୟ ନିର୍ମାଣ ସହ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ବନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାଠପଢା ଓ ପରୀକ୍ଷା ଆଦି ସକାଳ ସମୟରେ ରଖିବାକୁ ନିଷ୍ପତି ହୋଇଛି। ବିଦ୍ୟାଳୟରେ ନିରବଚ୍ଛିନ୍ନ ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବା ସହିତ ବାହ୍ୟ କାର୍ଯ୍ୟକଳାପକୁ ପ୍ରତିବନ୍ଧିତ କରାଯାଇଛି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଗରମ ପ୍ରଭାବରୁ ସୁରକ୍ଷିତ ରହିପାରିବେ। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପରିବହନ ସେବାରେ ବିଶେଷ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଯିବା ସମୟରେ ପିଲାମାନଙ୍କୁ ନିହାତି ଭାବେ ପାଣି ବୋତଲ ଦେବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଗରମ ତରଙ୍ଗ ସମ୍ପର୍କରେ ସତର୍କତା ସୂଚନା ଦେବାକୁ ମଧ୍ୟ ନିଷ୍ପତି ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରାଯିବ। ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଝାଞ୍ଝି ପବନରୁ ରକ୍ଷା ପାଇବା ବିଷୟରେ ସଚେତନତା ସୃଷ୍ଟି କରାଯିବ। ଏହି ସମସ୍ତ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରମିକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ସମୟରେ ପରିବର୍ତନ କରାଯାଇଛି, କାର୍ଯ୍ୟସ୍ଥଳରେ ପାଣି, ବିଶ୍ରାମ ସେଡ୍ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ “କଣ କରିବେ” ଓ “କଣ କରିବେ ନାହିଁ” ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବ। ବ୍ୟବହାର ପାଇଁ ଜନସାଧାରଣକୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଂଟା କାର୍ଯ୍ୟକ୍ଷମ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି, ଯାହା ଜିଲ୍ଲା, ବ୍ଲକ, ତହସିଲ, ସି ଏଚ ସି, ପି ଏକ ସି ସି ଓ ସମ୍ବନ୍ଧିତ ବିଭାଗରେ କାର୍ଯ୍ୟରତ ରହିବ। ଜରୁରୀକାଳିନ ସେବା ଯୋଗାଇବା ପାଇଁ କଂଟ୍ରୋଲ ରୁମ୍ ନମ୍ବର. ୯୪୩୮୭୭୬୩୯୪/ ୦୬୬୫୨-୨୩୦୯୬୯ ଏବଂ ହସ୍ପିଟାଲ ସହାୟତା କେନ୍ଦ୍ରର ଫୋନ କଂଟ୍ରୋଲ ରୁମ୍ନ-୭୮୭୩୦୩୯୨୯୧ ଜିଲ୍ଲା ପ୍ରସାଶନ ଦ୍ୱାରା ଜାରି କରାଯାଇଅଛି।
ଉକ୍ତ ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନ ଭୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ