ଫୁଲବାଣୀ, ସିଭିଲ ସର୍ଭିସ କୋଚିଂ ସେଣ୍ଟର୍ ରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ
Balbant Ray on KANDHAMAL Visit
ଫୁଲବାଣୀ, ସିଭିଲ ସର୍ଭିସ କୋଚିଂ ସେଣ୍ଟର୍ ରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ


କନ୍ଧମାଳ , ୦୬ ମାର୍ଚ୍ଚ (ହି.ସ.)

ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ଶ୍ରୀ ବଳବନ୍ତ ସିଂ ଆଜି ଅପରାହ୍ନରେ ଫୁଲବାଣୀ ସ୍ଥିତ ସର୍କିଟ ହାଉସଠାରେ ପହଞ୍ଚି ସ୍ଥାନୀୟ ବୃଦ୍ଧାଶ୍ରମ ବୁଲି ଦେଖିବା ପରେ ଦିନ ୪.୦୦ଟା ବେଳେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ପରିଦର୍ଶନରେ ଆସିଥିଲେ । କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଓ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ସାଙ୍ଗରେ ରହିଥିଲେ। ଫୁଲବାଣୀ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର କୋଚିଂକୁ ସ୍ୱାଗତ କରିବା ସହ ଏହାର ପ୍ରତିଷ୍ଠା ଓ କାର୍ଯ୍ୟକାରିତା ବୁଝାଇଥିଲେ। ସୂପରିଟେଣ୍ଡେଣ୍ଟ ଦାୟିତ୍ୱ ରେ ଥିବା ଶିବ ସୁନ୍ଦର ସାହୁ ଏହାର ପରିଚାଳନା ଓ ସଫଳତା ବିଷୟରେ ବୁଝାଇଥିଲେ। ଉତ୍ସାହର ସହ ୩୦ଜଣ ଛାତ୍ର ଛାତ୍ରୀ ସଫଳତାର ମନ୍ତ୍ର ଗ୍ରହଣ କରିଥିଲେ। ସଚିବ ଛାତ୍ର ଛାତ୍ରୀଙ୍କୁ ପ୍ରସ୍ତୁତି ଓ କୋଚିଂର ସୁବିଧା ଅସୁବିଧା ସମ୍ପର୍କ ରେ ପଚାରି ବୁଝିବା ସହ , ଦରକାରୀ ସୁବିଧା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀମାନେ ସଚିବଙ୍କୁ ସିଭିଲ ସର୍ଭିସ୍ ପରୀକ୍ଷାରେ ବିଫଳ ହୋଇ ମଧ୍ୟ ସଫଳତା ପାଇଁ କିପରି ପ୍ରେରଣା ପାଇ ପୁନଃ ପ୍ରସ୍ତୁତି କରିବେ, କନ୍ଧମାଳ ଭଳି ଅନୁନ୍ନତ ଅଞ୍ଚଳରୁ ସିଭିଲ ସର୍ଭିସ୍ ର ଯାତ୍ରା କେତେଦୂର ସମ୍ଭବପର, ପରୀକ୍ଷା ଆସନ ସମୟରେ ଉଭୟ ପ୍ରିଲିମ୍ସ ଓ ମେନ୍ସ ପରୀକ୍ଷା କୁ କିପରି ସମୟୋଜନ କରିପାରିବେ, ଇଣ୍ଟରଭିୟୁ ପାଇଁ ପ୍ରାରମ୍ଭ ରୁ କିପରି ପ୍ରସ୍ତୁତି କରିବେ, ସଚିବଙ୍କ ନିଜ ପ୍ରସ୍ତୁତି ସମୟରେ ପ୍ରେରଣା ର ଉତ୍ସ ଭଳି ଅନେକ ଉପାଦେୟ ପ୍ରଶ୍ନ ପଚାରି ଥିଲେ। ସୁନ୍ଦର ଓ ସରଳ ଭାବରେ ସଚିବ ଶ୍ରୀ ସିଂ , ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ମିଶ୍ର ଓ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଛାତ୍ର ଛାତ୍ରୀଙ୍କ ପ୍ରଶ୍ନର ସନ୍ତୋଷଜଣକ ଉତ୍ତର ଦେବା ସହ ବିଭିନ୍ନ ଉପାୟରେ ପ୍ରେରଣା ଦେଇଥିଲେ। ସଚିବ ପୂର୍ବରୁ ଓଡ଼ିଶା ଖଣି ନିଗମ ରେ ଥିବା ସମୟରେ କନ୍ଧମାଳ ରେ ୨୦୨୩ ମସିହାରେ କୋଚିଂ ସେଣ୍ଟର୍ ପାଇଁ ସି ଏସ ଆର ଅନୁଦାନ ପ୍ରାପ୍ତ କରିଥିଲେ, ଯାହାର ସଫଳ ରୂପାୟନ ଦେଖି ବେଶ୍ ଖୁସି ହେବା ସହ ସି ଏସ ଆର ଅନୁଦାନ ର ସଠିକ୍ ଉପଯୋଗ ହୋଇପାରିଛି ବୋଲି କହିଥିଲେ। ସର୍ବଶେଷରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ିବା ସହ ଶରୀର ର ଯତ୍ନ, ସୁଷମ ଖାଦ୍ୟ, କ୍ରୀଡ଼ା ଆଦି କାର୍ଯ୍ୟ ଦ୍ୱାରା ଉତ୍ତମ ବାତାବରଣ ସୃଷ୍ଟିଦିଗରେ ଉତ୍ସାହିତ କରିଥିଲେ ଓ ସେଣ୍ଟର୍ ପରିଚାଳକ ଶ୍ରୀ ଶିବ ସୁନ୍ଦର ସାହୁ ଓ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ରଙ୍କୁ ସାଧୁବାଦ ଜଣାଇବା ସହ ଛାତ୍ର ଛାତ୍ରୀ ଙ୍କୁ ନିରନ୍ତର ପ୍ରେରଣା ଓ ସୁବିଧା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande