ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ
ପୁରୀ, ୬ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ ଭାବରେ ଅଭିଯାନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ ବିକ୍ରି କ
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ


ପୁରୀ, ୬ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ ଭାବରେ ଅଭିଯାନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ ବିକ୍ରି କରୁଥିବା ଏକ ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ସତ୍ୟବାଦୀ ଥାନା ଅଧୀନ ରାୟଚକ୍ରଧରପୁର ଗ୍ରାମ ନଦୀବନ୍ଧ ଅଞ୍ଚଳରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ପୋଲିସ ଏବଂ ତହସିଲ ପ୍ରଶାସନଙ୍କ ଉପସ୍ଥିତିରେ ସଫଳତାର ସହ କାର୍ଯ୍ୟ କରାଯାଇଛି। ଉକ୍ତ ବ୍ୟକ୍ତି ହେଲେ ରାୟଚକ୍ରଧରପୁର ଗ୍ରାମର ପ୍ରଦୀପ କୁମାର ଭୋଇ (୪୦), ପିତା – ସ୍ଵର୍ଗତ ମାଗୁଣି ଭୋଇ, ସାକିନ – ରାୟଚକ୍ରଧରପୁର, ଥାନା – ସତ୍ୟବାଦୀ, ଜିଲ୍ଲା – ପୁରୀ। ସେ ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରି କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା ନେଇ ଅଭିଯୋଗ ଥିଲା। ଏହି ସୂଚନା ମିଳିବା ପରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ପୋଲିସକୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତହସିଲ ପ୍ରଶାସନ ସହ ସମନ୍ୱୟ କରି ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ କୁମାର ଭୋଇ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି। ତଥାପି ସେ ପୁଣିଥରେ ବେଆଇନ କାର୍ଯ୍ୟରେ ଜଡିତ ହୋଇଥିବାରୁ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ନିଜ ଅଞ୍ଚଳରେ କେହି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକଳାପ କରୁଥିବା ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବେ। ଆପଣଙ୍କର ସୂଚନା ଗୁପ୍ତ ରଖାଯିବ ଏବଂ ପୋଲିସ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମାଜରେ ଶାନ୍ତି, ସୁରକ୍ଷା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରୀ ପୋଲିସ ସଦା ସତର୍କ ଓ ପ୍ରତିବଦ୍ଧ ଅଟେ। ଏହିପରି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଅବ୍ୟାହତ ରହିବ। କୌଣସି ଆପତ୍କାଳୀନ ସୂଚନା ପାଇଁ ଦୟାକରି ୧୧୨ ନମ୍ବରକୁ ଡାଏଲ କରନ୍ତୁ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande