


ବଲାଙ୍ଗୀର,୦୬ ମାର୍ଚ୍ଚ(ହି.ସ.) – ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ମହିଳାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ‘ଶକ୍ତି ସ୍ୱରୂପିଣୀ’ ଥିମରେ ଆଜିର ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଦୈନନ୍ଦିନ ଜୀବନରେ ଯୋଗଭ୍ୟାଶର ଗୁରୁତ୍ୱ ସମ୍ପର୍କରେ କହିବା ସହ ନାରୀଟିଏ ସୁସ୍ଥ ରହିଲେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଡେପୁଟି କଲେକ୍ଟର ହରିଓମ ଶମ୍ଭୁ ନାରାୟଣ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଏବଂ କ୍ରୀଡା ସଂଗଠକ ସୁମିତ ରଞ୍ଜନ ପୁରୋହିତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସକାଳର ଶାନ୍ତ ପରିବେଶରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମାନସିକ ଶାନ୍ତି ପାଇଁ ଧ୍ୟାନର ଶିକ୍ଷା ଦିଆଯାଇଥିଲା। ଏହି ଶିବିରେ ବହୁ ସଂଖ୍ୟାରେ ଛାତ୍ରୀ ଏବଂ ମହିଳାମାନେ ଅଂଶଗ୍ରହଣ କରି ଯୋଗ କରିଥିଲେ। ସୌଦାମିନୀ କାଣ୍ଡି ଓ ସୁଭଦ୍ରା ବେହେରା ମିଳିତ ଭାବେ ଯୋଗଭ୍ୟାଶ କରାଇଥିଲେ। ପରାଶର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ