ନିମ୍ନମାନର କେନାଲ ପୋଲ ନିର୍ମାଣ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ
ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାରେ କୃଷିର ଉନ୍ନତି ପାଇଁ ନଦୀବନ୍ଧ ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରାଯିବା ଲକ୍ଷ୍ୟ ରଖି ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ କାନପୁର ବୃହତ୍ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚ
ନିମ୍ନମାନର କେନାଲ ପୋଲ ନିର୍ମାଣ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ


ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାରେ କୃଷିର ଉନ୍ନତି ପାଇଁ ନଦୀବନ୍ଧ ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରାଯିବା ଲକ୍ଷ୍ୟ ରଖି ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ କାନପୁର ବୃହତ୍ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଛି। ତେବେ ଏହି କାନପୁର ନଦୀ ବନ୍ଧ ପ୍ରକଳ୍ପ ନାମରେ ହେଉଥିବା କେନାଲ କାମରେ ଚଂଚକତା କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ସଲାସୁତରାରେ ନିମ୍ନମାନର କାମ କରି ମାଲେମାଲ ହେଉଥିଲେ ମଧ୍ୟ ବିଭାଗ କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଫଳରେ ନିର୍ମାଣ କରାଯାଉଥିବା ନିମ୍ନମାନର କେନାଲ ଓ କେନାଲ ପୋଲ ଗୁଡିକର ସ୍ଥାୟିତ୍ଵକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଫୁଟବଲ ପଡିଆ।

ଏଠାରେ ପଡିଆ ସମ୍ମୁଖରେ ଏକ ଶାଖା କେନାଲ କାର୍ଯ୍ୟ ଚାଲିଥିବା ବେଳେ ପଡିଆ ଭିତରକୁ ପ୍ରବେଶ କରିବା ପାଇଁ ଏକ ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି ପୋଲ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ପୋଲ ପାଇଁ ବେସ ତିଆରି ନକରି କିମ୍ବା କୌଣସି ପିଲର, ବିମ ନଦେଇ କେନାଲ କାନ୍ଥ ଉପରେ ସିଧାସଳଖ ପୋଲ ଛାତ ଢ଼ଳେଇ କରାଯାଉଛି। କେନାଲ କାର୍ଯ୍ୟ ପାଇଁ ସରକାର ସ୍ୱତନ୍ତ୍ର ବାଲି ବ୍ୟବସ୍ଥା କରିଥିବା ବେଳେ ଏଠି ନିମ୍ନମାନର ବାଲିରେ ଢ଼ଳେଇ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ତା' ସହିତ ଏହି ପୋଲ ନିର୍ମାଣ କାର୍ଯ୍ୟ କେବଳ ମିସ୍ତ୍ରୀ ମାନଙ୍କ ଭରସାରେ ଛାଡି ଦେଇ କାର୍ଯ୍ୟ ସମୟରେ କୌଣସି ଅଧିକାରୀ କିମ୍ବା ସୁପରଭାଇଜର ରହୁ ନଥିବାରୁ ଏହାର ସ୍ଥାଇତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଖେଳ ପଡିଆରେ କୌଣସି ସରକାରୀ, ବେସରକାରୀ କ୍ରିଡ଼ା କାର୍ଯ୍ୟକ୍ରମ ସମୟରେ ଛୋଟ ବଡ଼ ଚାରି ଚକିଆ ଯାନ ପ୍ରବେଶ କରିବାଟା ସ୍ୱାଭାବିକ ହୋଇଥିବା ବେଳେ ବିନା ପିଲର ବେସରେ ନିର୍ମାଣ କରାଯାଉଥିବା ଏହି ପୋଲ କେତେ ଦିନ ଓଜନ ସମ୍ଭାଳିବ ତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି। ଯାହାକୁନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେଣୁ ଏଥିପ୍ରତି କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande