
ପୁରୀ, ୬ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଗତ ଦୁଇ ମାସ ଧରି ଏକ ବିଶେଷ ଅଭିଯାନ ଚାଲୁ ରହିଛି। ଏହି ଅଭିଯାନ ଅନୁସାରେ ୨୦୨୬ ମସିହାର ଗତ ଦୁଇ ମାସ ମଧ୍ୟରେ ପୁରୀ ଜିଲ୍ଲାର ବିଭିନ୍ନ ପୋଲିସ ଥାନା ଅଞ୍ଚଳରେ ବେଆଇନ ମଦ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋଟ ୯୭ଟି ମାମଲା ରୁଜୁ କରାଯାଇଥିଲା | ୯୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୀ ପୋଲିସ ଏହି ବେଆଇନ କାରବାର ବିରୋଧରେ କଡା ପଦକ୍ଷେପ ନେଇ ଅବିରତ ଚଢଉ ଓ ତଦନ୍ତ କାର୍ଯ୍ୟ ଜାରି ରଖିଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବ୍ୟବସ୍ଥା ରକ୍ଷା ପାଇଁ ଏହିପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅଧିକ ଜୋରଦାର ଭାବରେ ଚାଲିବ । ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ପୋଲିସ ଥାନାରେ ଯେପରିକି ସତ୍ୟବାଦୀ ଥାନା ୯, ବ୍ରହ୍ମଗିରି ଥାନା ୮, ଚନ୍ଦନପୁର ଥାନା ୭, ଚାରିଛକ ଥାନା ୭, କୃଷ୍ଣପ୍ରସାଦ ଥାନା ୬, ଅସ୍ତରଙ୍ଗ ଥାନା ୫, ବଳଙ୍ଗା ଥାନା ୫, ଡେଲାଙ୍ଗ ଥାନା ୫, ଗାଡିଶାଗଦା ଥାନା ୫, କୋଣାର୍କ ଥାନା ୫, ସଦର ଥାନା ୫, ସି ବିଚ୍ ଥାନା ୫, କୁମ୍ଭାରପଡା ଥାନା ୪, ବାସେଳିସାହି ଥାନା ୩, ଗୋପ ଥାନା ୩, କଣାସ ଥାନା ୩, ବାଳିଆପଣ୍ଡା ଥାନା ୨, ନିମାପଡା ଥାନା ୨, ପେଣ୍ଠକଟା ଥାନା ୨, ପିପିଲି ଥାନା ୨, ତାଳବଣିଆ ଥାନା ୨, କାକଟପୁର ଥାନା ୧, ରାମଚଣ୍ଡୀ ଥାନା ୧ ଓ ଟାଉନ ଥାନା ୧ ହୋଇ ମୋଟ ମାମଲା ୯୭ଟି ରହିଛି |
ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ, ଯଦି କେଉଁଠି ବେଆଇନ ଭାବେ ମଦ ବିକ୍ରୟ କିମ୍ବା ସଂଗ୍ରହ ସମ୍ପର୍କରେ କୌଣସି ସୂଚନା ମିଳେ, ତେବେ ତୁରନ୍ତ ପୋଲିସକୁ ଜଣାଇବେ। କୌଣସି ସୂଚନା ଥିଲେ ତୁରନ୍ତ ୧୧୨ ନମ୍ବରକୁ ଫୋନରେ ସୂଚନା ଦିଅନ୍ତୁ । ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ସମାଜରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ସମ୍ଭବ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଅଧିକ ଜୋରଦାର କରି ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଦୃଢ କରିବାକୁ ପ୍ରତିବଦ୍ଧ।
ହିନ୍ଦୁସ୍ଥାନ ସମାଚାର / ବିଜୟ