
ନୂଆପଡ଼ା, ୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସିନାପାଲି ବ୍ଲକର ହାତିବନ୍ଧା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଆଶା ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସିଡ଼ିପିଓ ସିନାପାଲି ଉର୍ମିଳା ମହାପାତ୍ର, ତାଲୁକ ଆଇନ ସେବା ସମିତିର ସମ୍ମୁଖ କାର୍ଯ୍ୟାଳୟ ଓକିଲ ଗୁଣ ସାଗର ମେହେର, ହାତିବନ୍ଧା ଗ୍ରାମ ପଞ୍ଚାୟତର ପିଇଓ ଜୟନନ୍ଦ ମେହେର, ସିନାପାଲି ଅଧିବକ୍ତା ସଂଘର ଅନ୍ୟାନ୍ୟ ଓକିଲଗଣ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଆଶା ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ସେ ମଧ୍ୟ ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ ଏବଂ ଏହାକୁ ରୋକିବାକୁ ଓ ବାଲ୍ୟ ବିବାହମୁକ୍ତ ଭାରତ ଗଠନରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ