
କେନ୍ଦୁଝର,୦୭ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ବାର୍ଷିକୋତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ଜିଲ୍ଲା ଭାଗବତ ଭକ୍ତ ସମ୍ମିଳନୀରେ ହରିଚନ୍ଦନପୁର(୧) ବ୍ଲକର ଶ୍ରେଷ୍ଠ ଭାଗବତ ଟୁଙ୍ଗି ରୂପେ ସମ୍ମାନିତ ହୋଇଥିବା ଜଂଘିରା ରାଧାକୃଷ୍ଣ ଭାଗବତ ଟୁଙ୍ଗିରେ ସତସଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। ଟୁଙ୍ଗିର ସଭାନେତ୍ରୀ ପାର୍ବତୀ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହେଲା। ମାତୃମଣ୍ଡଳୀ ଭକ୍ତ ବୃନ୍ଦ ଭାଗବତ ଗାଦି ପୂଜାର୍ଚ୍ଚନା କଲେ। ପୁରାଣପଣ୍ଡା ରମାକାନ୍ତ ପରିଡ଼ା ଭାଗବତ ଦଶମ ସ୍କନ୍ଧ ୩୮ଅଧ୍ୟାୟ ଯଥାବିଧି ପାରାୟଣ କଲେ। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ପଠିତ ଅଧ୍ୟାୟ ପ୍ରସଙ୍ଗରେ ଆଲୋଚନା କରି ଷଣ୍ଢାସୁରକୁ ଦେଖିବା ମାତ୍ରେ ଗୋପାଳ ବାଳକମାନେ ଯେପରି ବାଳମୁକୁନ୍ଦ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ବିପଦରୁ ମୁକ୍ତ ହେଲେ, ସେହିପରି ସଂସାର ପଥରେ ଅଗ୍ରସର ହେଉଥିବା ସମୟରେ ଯେତେବେଳେ ବାଧାବିଘ୍ନ ଆସିବ ସେତେବେଳେ ଭଗବାନଙ୍କୁ ସ୍ମରଣ କରିବା ଏକାନ୍ତ ଆବଶ୍ୟକ ବୋଲି ଜନ ସମାଜକୁ ସଚେତନ କଲେ। ଏଥିରେ ପ୍ରଦ୍ୟୁମ୍ନ ଭିତିରିଆ, ମଙ୍ଗୁଳୁ ନାୟକ, ଗୁରୁ ଚରଣ ବାରିକ, ବସନ୍ତ କୁମାର ସାହୁ, ଶୁକ୍ରୁ ପଲେଇ, ଦେବଯାନୀ ରାଉତ, ରାଣୀ ନାୟକ, ସୀତା ନାୟକ, ତଅପୋଇ ନାୟକ, ବାସନ୍ତୀ ନାୟକ, ସୁଲୋଚନା ବାରିକ, ସେବତୀ ରାଉତ, ରୁକ୍ମଣୀ ପଲେଇ, ବୀଣାପାଣି ମହାନ୍ତି, ଇନ୍ଦୁମତି ବେଜ୍, କସ୍ତୁରୀ ବେଜ, ସବିତା ନାୟକ, ସଙ୍କି ବାରିକ ଓ ସବିତା ବାରିକ ପ୍ରମୁଖ ଭକ୍ତବୃନ୍ଦ ଯୋଗଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA