
ଭୁବନ, ୭ ମାର୍ଚ୍ଚ (ହି.ସ.)- ଭୁବନ ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇ ୩୦ ମାର୍ଚ୍ଚ ୨୦୨୨ ରେ ଶୁଭେନ୍ଦୁ କୁମାର ସାହୁ ନଗରପାଳ ଭାବେ ଶପଥ ନେଇଥିଲେ । କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର ଆଳରେ ଭୁବନ ନଗରପାଳଙ୍କୁ ୯ ସେପ୍ଟେମ୍ବର ୨୦୨୫ ରେ ରାଜ୍ୟ ସରକାର ବରଖାସ୍ତ କରିଥିଲେ । ଗତ ଫେବୃୟାରୀ ୨୬ ତାରିଖ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସରକାର ବହିଷ୍କାର ଆଦେଶକୁ ଅଭିସନ୍ଧିମୂଳକ ଦର୍ଶାଇ ଖାରଜ କରିବା ସହିତ ପୂର୍ବ ପଦରେ ପୁନଃ ଅବସ୍ଥାପିତ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଚିଠି ନଂ - ୬୧୭ ତା ୦୨.୦୩.୨୦୨୬ ଅନୁଯାୟୀ ଆଜି ଶନିବାର ପୂର୍ବାହ୍ନ୧୧ଟା ସମୟରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କନଫରେନ୍ସ ହଲରେ ୧୪ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଆଜକୁ ଦୀର୍ଘ ୨୦ ମାସ ହେଲା ଭୁବନର ବିକାଶ ଠପ୍ ହୋଇଯାଇଛି। ତେଣୁ ରାଜନୈତିକ ଅଭିସନ୍ଧି ତଥା ଈର୍ଷା, ଅସୂୟା ମନୋଭାବ ପରିତ୍ୟାଗ କରି ସର୍ବୋପରି ଭୁବନର ବିକାଶ ପାଇଁ ସହଯୋଗ କରିବାକୁ ବିଧାୟକ, ସାଂସଦ ଓ ବିଜେପି କାଉନସିଲର ମାନଙ୍କୁ ନିବେଦନ କରିଥିଲେ ।
ଏହି ବୈଠକରେ ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁଙ୍କ ସମେତ ୧ ନଂ ୱାର୍ଡ କାଉନସିଲର ଗିରିଧାରୀ ସାହୁ,୯ ନଂ ୱାର୍ଡ କାଉନସିଲର ପପୁ କୁମାର ସାହୁ, ୧୨ ନଂ ୱାର୍ଡ କାଉନସିଲର ଶ୍ରୀମତୀ କବିତା ସେନାପତି, ୧୪ ନଂ ୱାର୍ଡ କାଉନସିଲର ଶ୍ରୀମତୀ କଳ୍ପନା ବେହେରା, ୧୫ ନଂ ୱାର୍ଡ କାଉନସିଲର ଶ୍ରୀମତୀ ଝୁନା ନାୟକ ପ୍ରମୁଖ ଅତ୍ୟନ୍ତ ଉତ୍ସାହର ସହ ଯୋଗ ଦେଇଥିଲେ । ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଜେପି ସମର୍ଥିତ କାଉନସିଲର ମାନେ ଅନୁପସ୍ଥିତ ଥିବାରୁ ଦୃଢ଼ ନିନ୍ଦା କରାଯାଇଥିଲା । କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ, ଗୋଷ୍ଠୀ ସଂଗଠିକା ଶ୍ରୀମତୀ ଚିକୁମୀନା ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ବାରମ୍ବାର ଫୋନ୍ କରିବା ସତ୍ବେ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋନ୍ ରିସିଭ୍ ନକରିବା ଯୋଗୁ ବୈଠକରେ ଅନୁପସ୍ଥିତ ରହିବା କାରଣ ସମ୍ପର୍କରେ ତାଙ୍କ ମତାମତ/ ପ୍ରତିକ୍ରିୟା ସଂଗ୍ରହ ହୋଇପାରି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ