
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ–୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ଶୁଭସ୍ମିତା ତ୍ରିପାଠୀ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଶୃଙ୍ଖଳା, ଲକ୍ଷ୍ୟ ଓ ସମର୍ପଣଭାବ ସହିତ ଅଧ୍ୟୟନ କରିବା ସହ ଗୁରୁଙ୍କ ଉପଦେଶକୁ ଜୀବନରେ ଅନୁସରଣ କରିପାରିଲେ ସେମାନେ ଜୀବନରେ ସଫଳ ହେବା ସହ ଜିଲ୍ଲା ଓ ରାଜ୍ୟର ଗର୍ବ ଓ ଗୌରବ ହୋଇପାରିବେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସଠିକ୍ ପଥ ପ୍ରଦର୍ଶନ କରିପାରିଲେ ଆମ ଜିଲ୍ଲା ଓ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ। ସେହିପରି ଶିକ୍ଷାର ଭିତିଭୂମି ସୁଦୃଢ ହେଲେ ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପିଏମ୍ ଶ୍ରୀ ଉତ୍ସବ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବାରୁ ଆୟୋଜକମାନଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ପାଇଁ ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ପିଏମ୍ ଶ୍ରୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି