
ଭଦ୍ରକ, ୭ ମାର୍ଚ୍ଚ (ହି.ସ.) - ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସୁଦୃଢ଼ ଓ ପ୍ରଚଳିତ କରିବା ଉଦ୍ଦେଶ୍ୟରେ ଆଜି ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମଂଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ ପରେ ଦୀପ ପ୍ରଜ୍ୱଳନ କରାଯାଇ ଅନୁଷ୍ଠାନର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାଏ ଓ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଉପସ୍ଥିତ ଥିଲେ। ୬/୦୩/୨୦୨୬ ରୁ ଆରମ୍ଭ ହୋଇଥିବା ଉକ୍ତ ଓଡ଼ିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତ୍ୟନ୍ତ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ଦୈନନ୍ଦିନ କାର୍ଯ୍ୟରେ ଓଡ଼ିଆ ଭାଷାକୁ ସଠିକ ଭାବରେ ପ୍ରୟୋଗ କରିପାରିବେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ସିଦ୍ଧାର୍ଥ ଶଙ୍କର ପାଢୀ ,ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ଼. ରବିନାରାୟଣ ପଣ୍ଡା, ସହକାରୀ ପ୍ରାଧ୍ୟାପକ ଡ଼. ରମେଶ ଚନ୍ଦ୍ର ମଲ୍ଲିକ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ମନୋରଂଜନ ପାଣିଗ୍ରାହୀ , ଅବସରପ୍ରାପ୍ତ ବରିଷ୍ଠ ଲେଖା ଅଧିକାରୀ, ମହାଲେଖାପାଳ (ଇ.ଏ.), ଓଡିଶା, ପ୍ରମୁଖ ଅତିଥିମାନେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ବନ୍ଧୀୟ ନଥି କିପରି ସଠିକ୍ ଭାବେ ପ୍ରସ୍ତୁତ ଓ ଉପସ୍ଥାପନା କରିବେ, ସେ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅତିଥିମାନେ ତାଙ୍କ ଉଦ୍ବୋଧନରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ସରକାରୀ ଦଲିଲ, ନୋଟ୍ଶିଟ୍ ଓ ଦୈନିକ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ଜନସାଧାରଣଙ୍କ ସହ ସରକାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏପରି ପ୍ରଶିକ୍ଷଣ ମାଧ୍ୟମରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ଆହୁରି ବୃଦ୍ଧି ପାଇବା ସହ ରାଜ୍ୟର ଭାଷା ନୀତି କାର୍ଯ୍ୟକାରୀ କରିବାରେ ଏହା ସହାୟକ ହେବ ବୋଲି ଅତିଥିମାନେ ସୂଚନା ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରଶିକ୍ଷ୍ୟାର୍ଥୀଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସହକାରୀ ଜିଲ୍ଲାପାଳ ସ୍ୱର୍ଣ୍ଣମୟୀ ସାହୁ ମଂଚ ପରିଚାଳନା କରିଥିବା ବେଳେ ଡେପୁଟି କଲେକ୍ଟର ପ୍ରମିଳା ମଲ୍ଲିକ ଓ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଶ୍ରୀମତୀ ତନୁଜା ସିର୍କା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ