
ଝାରସୁଗୁଡା, ୭ ମାର୍ଚ୍ଚ (ହି.ସ.)- ଚଳିତ ବିଧାନସଭାରେ ପାରିତ ହୋଇଥିବା ରାଜ୍ୟ ବଜେଟ ବିକଶିତ ଓଡିଶାର ସ୍ୱପ୍ନକୁ ସତ କରିବା ସହ ଏହା ଏକ ଐତିହାସିକ ବଜେଟ ବୋଲି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ମୁକେଶ ମହାଳିଙ୍ଗ କହିଛନ୍ତି। ଶନିବାର ପୂର୍ବାହ୍ନରେ ଝାରସୁଗୁଡାର ଏକ ଘରୋଇ ହୋଟେଲରେ ଆୟୋଜିତ ପ୍ରେସ ମିଟରେ ସେ ଏହି ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବଜେଟ ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ହୋଇଥିବା ବେଳେ ଏହା ବିକଶିତ ଓଡିଶା–୨୦୩୬ ଓ ବିକଶିତ ଭାରତ–୨୦୪୭ ଭିଜନକୁ ଧ୍ୟାନରେ ରଖି ପାରିତ କରାଯାଇଛି। ଏହି ବଜେଟରେ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ୧୬ କୋଟି ଟଙ୍କା ବ୍ୟୟ କରିବା ସହ ରାଜ୍ୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି। ଏହା ମଧ୍ୟରୁ ଝାରସୁଗୁଡାରେ ମଧ୍ୟ ଏକ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବ ବୋଲି ସେ କହିଛନ୍ତି। ଏହା ସହିତ ରାଜ୍ୟରେ ୪ଟି ଆୟୁର୍ବେଦିକ କଲେଜ, ୬ଟି ମେଡିକାଲ କଲେଜ, ୨ଟି ଇଞ୍ଜିନିୟରିଂ କଲେଜ, ୨ଟି ହୋମିଓପ୍ୟାଥିକ କଲେଜ, ଏକ କୃଷି ବିଶ୍ୱବିଦ୍ୟାଳୟ ଓ ଏକ ମତ୍ସ୍ୟ ମହାବିଦ୍ୟାଳୟ ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଗାଁରୁ ଗାଁକୁ ସଂଯୋଗ କରିବା ପାଇଁ ପିଡବ୍ଲ୍ୟୁଡି ବିଭାଗକୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇଥିବା ସେ କହିଥିଲେ। ଏହା ସହ ନୂତନ ଯୋଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ, ଅଟଳ ରକ୍ତଦାନ ଯୋଜନା, ୧୦୦୦ଟି ଆଇସିୟୁ ବେଡ଼ ଓ ୫୦୦୦ଟି ନୂତନ ହସ୍ପିଟାଲ ବେଡ଼ ସୃଷ୍ଟି କରିବାକୁ ବ୍ୟବସ୍ଥା ରହିଛି। ସାମାଜିକ କଲ୍ୟାଣ କ୍ଷେତ୍ରରେ ୬ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦିଆଯିବ। ଏହା ସହିତ ରାସନ କାର୍ଡ ଧାରୀମାନଙ୍କୁ ପୂର୍ବରୁ ମିଳୁଥିବା ୫ କେଜି ଚାଉଳ ପରିବର୍ତ୍ତେ ୧୦ କେଜି ଚାଉଳ ଦିଆଯିବ ବୋଲି ସେ ଜଣାଇଥିଲେ। ଏହି ବଜେଟ ଉତ୍କର୍ଷ ଓଡିଶା ଗଠନରେ ସହାୟକ ହେବା ସହ ସମସ୍ତ ସ୍ତରର ଲୋକମାନେ ଏଥିରୁ ଲାଭାନ୍ୱିତ ହେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ