ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା
ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ''ସୂଚନା ଅଧିକାର ଆଇନ, ୨୦୦୫'' କର୍ମଶାଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହ
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା


ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ 'ସୂଚନା ଅଧିକାର ଆଇନ, ୨୦୦୫' କର୍ମଶାଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଆଜି ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିନିକିଆ କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଅଶୋକ ପଟ୍ଟନାୟକ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଉପ ଜିଲ୍ଲାପାଳ ଶ୍ରୀ ଭୋଇ ନିଜ ଅଭିଭାଷଣରେ କହିଥିଲେ ଯେ, ଆରଟିଆଇ ମାଧ୍ୟମରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ସହ ନାଗରିକମାନେ ସରକାରୀ ଯୋଜନା ବିଷୟରେ ସିଧାସଳଖ ତଥ୍ୟ ପାଇପାରିବେ। ଏହି ଆଇନ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିଥାଏ। ବିଶେଷ କରି 'ସେକ୍ସନ ୪' ଅନୁଯାୟୀ ସ୍ୱତଃପ୍ରବୃତ୍ତ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ନାଗରିକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ଆବେଦନ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଏହାକୁ ଏକ ବୋଝ ନଭାବି ସେବା ପ୍ରଦାନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କର୍ମଶାଳାରେ ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଶ୍ରୀ ପଟ୍ଟନାୟକ ସୂଚନା ଅଧିକାର ଆଇନରେ ଦରଖାସ୍ତ ଗ୍ରହଣର ସମସ୍ତ ପ୍ରକ୍ରିୟା ସମ୍ପାଦାନ କୌଶଳ, କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ନିମିତ୍ତ ଆବଶ୍ୟକ ରେଜିଷ୍ଟର ଲିପିବଦ୍ଧ କରିବା ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ। ଏଥିସହ ଅଧିବେଶନରେ ଅଧିକାରୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ସୂଚନା ଅଧିକାର ଆଇନ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଏବଂ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande