
ବଲାଙ୍ଗୀର, ୭ ମାର୍ଚ୍ଚ (ହି.ସ.)-
ସଂପ୍ରତି ସମାଜରେ ନାରୀମାନଙ୍କୁ ଅଧିକ ଅଧିକାର ଦେଇ ସ୍ୱାବଲମ୍ବି ତଥା ସଶକ୍ତହେବାକୁ ପ୍ରୟାସ ହେଉଛି । ଆମ ସମାଜର ପଚାଶ ପ୍ରତିଶତ ମହିଳା ଥିବାବେଳେ ଏକ ସୁସ୍ଥସମାଜ ଗଠନ କରିବାକୁ ହେଲେ ନାରୀମାନଙ୍କୁ ସଶକ୍ତିକରଣ ତଥା ସଚେତନ କରିବାର ଆବଶ୍ୟକତା କଥା ଉଠେ । ନାରୀମାନଙ୍କୁ ଭାବର ଆଦାନ ପ୍ରଦାନ ତଥା ଅବସରବିନୋଦନ ପାଇଁ କେତେକ ସ୍ଥଳେ ଲେଡିଜକ୍ଲବ ଓ ନାରୀସେବାସଦନ ଭଳି ଅନୁଷ୍ଠାନର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ରାଜୁଡା ସମୟରେ ୧୯୪୧ ମସିହାରେ ବଲାଙ୍ଗୀର ସହରର ନାରୀମାନଙ୍କ ନାରୀଜାଗରଣ ପାଇଁ ସ୍ଥାପିତ “ସୁନ୍ଦରକୁମାରୀ ଲେଡିଜକ୍ଲବ”ର ଅସ୍ତିତ୍ୱ ଆଜି ହଜିଯାଇଛି । ବଲାଙ୍ଗୀରର ପୁରୁଣାରାଜବାଟିର ଏକ ଅଂଶରେ ଥିବା ବର୍ତ୍ତମାନର ଗୋପାଳଜୀମନ୍ଦିରର ପୁନଃରୁଦ୍ଧାର ବେଳେ ଏହି ଶତାୟୁ ଅନୁଷ୍ଠାନକୁ ଭାଙ୍ଗିଦେଇ ଚୁରମାର କରିଦିଆଯାଇଛି । ଆଗକୁ ମାର୍ଚ୍ଚ ୮ ତାରିଖ ମହିଳାଦିବସ ଅବସରରେ ଜିଲ୍ଲା ପ୍ରଶାସନ ତଥା ନେତାନେତ୍ରୀମାନେ ଅନେକ ଭାଷଣ ଦେବେ କିନ୍ତୁ ନାରୀମାନଙ୍କ ସଚେତନତା ପାଇଁ ଥିବା ଏକ ଅନୁଷ୍ଠାନକୁ ଭାଙ୍ଗି ଦିଆଗଲା ପରେ ମଧ୍ୟ କେହି ସ୍ୱରଉତ୍ତୋଳନ କରୁନାହାଁନ୍ତି ।
ପାଟଣା ଇତିହାସରୁ ଜଣାଯାଏ ଯେ, ସ୍ୱାଧିନତା ପୂର୍ବରୁ ପାଟଣାଗଡଜାତ ରାଜ୍ୟରେ ଚୌହାନ ବଂଶର ରାଜାମାନେ ଶାସନ କଲାବେଳେ ଅନେକଗୁଡିଏ ଉନ୍ନତିମୂଳକ କାମ କରାଇଥିଲେ । ସ୍ୱର୍ଗତ ମହାରାଜ ପୃଥ୍ୱୀରାଜସିଂଦେଓ ଓ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ରାଜତ୍ୱ କାଳରେ ରାଜ୍ୟର ରାଜଧାନୀ ଥିବା ବଲାଙ୍ଗୀର ସହରରେ ଅନେକଗୁଡିଏ ଅନୁଷ୍ଠାନ ସ୍ଥାପନ କରିଥିଲେ । କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, କ୍ରୀଡା, କୃଷି ଓ ଜଳସେଚନ ତଥା ନାରୀସଚେତନତା ପାଇଁ ଅନେକଗୁଡିଏ ଅନୁଷ୍ଠାନ ଗଢିଥିଲେ । ସେଥିରେ ପୃଥ୍ୱୀରାଜ ହାଇସ୍କୁଲ, ଏଲଏଣ୍ଡଏସ କ୍ଲବ, ଦଳଗଞ୍ଜନ ପ୍ରେସ,ପାୱାରହାଉସ, ରାଜେନ୍ଦ୍ର କଲେଜ, ସହରରେ ୧୭ଟି ବନ୍ଧ, କୋସଳକଳାମଣ୍ଡଳ ପଡିଆ, ରାଜେନ୍ଦ୍ର କଲେଜ, ରାଜେନ୍ଦ୍ର କୃଷି ଗବେଷଣା କେନ୍ଦ୍ର, ରାଜେନ୍ଦ୍ରପାର୍କ ସହିତ ସୁନ୍ଦରକୁମାରୀ ଲେଡିଜକ୍ଲବ ଅନ୍ୟତମ । ଏହି ସବୁ ଅନୁଷ୍ଠାନ ବଲାଙ୍ଗୀରର ଅସ୍ମିତା ହୋଇ ଆଜି ଛିଡା ହୋଇରହିଛି । ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ସେଥିପାଇଁ ସେ ଅନେକଗୁଡିଏ ଅନୁଷ୍ଠାନ ସ୍ଥାପିତ କରି ତାକୁ ପ୍ରୋତ୍ସାହିତ କରୁଥିଲେ । ଯେତେବେଳେ ନାରୀସମାଜ ସେତେଟା ଶିକ୍ଷିତ ହୋଇନଥିଲେ ଓ ଘରୁ ଗୋଡକାଢି ବାହାରକୁ ବାହାରୁନଥିଲେ ସେହି ସମୟରେ ନାରୀ ସଚେତନତା ପାଇଁ “ସୁନ୍ଦରକୁମାରୀ ଲେଡିଜ କ୍ଲବ” ସ୍ଥାପନ କରି ନାରୀମାନଙ୍କୁ ଅବସର ବିନୋଦନ ପାଇଁ ସୁଯୋଗ ଦେଇଥିଲେ । ନାରୀଶିକ୍ଷା ଓ ସଚେତନତାରେ ଯେ ସମାଜର ମଙ୍ଗଳ ହେବ ତାହା ସେ ସମୟରେ ଉପଲବ୍ଧି କରିଥିଲେ । ସେଥିପାଇଁ ଗୋପାଳଜୀମନ୍ଦିର ତଥା ରାଜେଶ୍ୱରୀ ଧର୍ମଶାଳାର ପଛପଟେ ପୁରୁଣାରାଜବାଟିର ଏକ ଅଂଶରେ ଲେଡିଜକ୍ଲବ ନିର୍ମାଣ କରାଇଥିଲେ । କ୍ଲବକୁ ଚୌହାନରାଜା ଦଳଗଞ୍ଜନ ସିଂଦେଓଙ୍କ ମହରାଣୀ ତଥା ମହାରାଜା ପୃଥ୍ୱୀରାଜ ସିଂଦେଓଙ୍କ ରାଜମାତା ସୁନ୍ଦରକୁମାରୀ ଦେବୀଙ୍କ ନାମରେ ନାମିତ କରିଥିଲେ । ୧୯୪୧ ମସିହାରେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ମହାରାଣୀ କୈଳାଶ କୁମାରୀ ଦେବୀ ନାରୀ ସଚେତନତା ଓ ନାରୀଙ୍କ ଉତ୍ଥାନ ପାଇଁ ନେଇଥିବା ପଦକ୍ଷେପକୁ ଆଜି ମଧ୍ୟ ପ୍ରଶଂସା କରାଯାଇଥାଏ । ମହାରାଣୀ ସୁନ୍ଦର କୁମାରୀ ଦେବୀ ମଧ୍ୟ ଜଣେ ପ୍ରଜାହିତୈଷୀ ଥିଲେ ଓ ସେ ସହରର ମଧ୍ୟଭାଗରେ ରାଣୀବନ୍ଧକୁ ନିଜସ୍ୱ ଅର୍ଥରେ ଖୋଲାଇଥିଲେ । ଅନେକ ମହିଳାଙ୍କୁ ମଧ୍ୟ ସେ ସହାୟତାର ହାତ ବଢାଉଥିଲେ ତେଣୁ ତାଙ୍କ ସ୍ମୃତିରେ ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ମହାରାଣୀ କୈଳାଶକୁମାରୀ ଦେବୀ ଲେଡିଜ କ୍ଲବର ନାମକରଣ କରି ବଲାଙ୍ଗୀର ବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିଥିଲେ । ସେହି ସମୟରେ ଏଠାରେ ମହିଳାମାନେ ଏକତ୍ରୀତ ହୋଇ ନିଜର ଭାବନାର ଆଦାନପ୍ରଦାନ କରୁଥିଲେ ତଥା ଅବସରବିନୋଦନ କରୁଥିଲେ । ମହିଳାଙ୍କ ମଧ୍ୟରେ ଅନେକ ଖେଳ ପ୍ରତିଯୋଗୀତା ମଧ୍ୟ ହେଉଥିବା କୁହାଯାଏ । ଏଠାରେ ଅନେକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ଓ ମହିଳା ଅଭିନେତ୍ରୀ ଏଠାରୁ ସୃଷ୍ଟି ହୋଇଥିଲେ । ୧୯୪୮ ମସିହାରେ ପାଟଣାଗଡଜାତର ମିଶ୍ରଣ ପରେ ଏହା ଓଡିଶା ସରକାରଙ୍କ ହାତକୁ ଚାଲିଗଲା । ପରେ ଦେବୋତ୍ତର ବିଭାଗ ଅଧିନରେ ଏହା ରହିଲା । ଅନେକ ବର୍ଷ ପର୍ଯ୍ୟନ୍ତ କିଛି ଉଦ୍ୟମୀ ମହିଳା ଏହି କ୍ଲବକୁ ପରିଚାଳିତ କଲେ । କିନ୍ତୁ ପରେ ପରେ ବିଲଡିଂଟିର ମରାମତି ଅଭାବରୁ ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ ଅବସ୍ଥା ଖରାପ ହୋଇଗଲା । ଏହାର ଚାରିକଡେ ବୃକ୍ଷଲତା ବ୍ୟାପିଗଲା । ବ୍ୟବହାର ନହୋଇ ପଡିରହିଲା ଓ ଶେଷରେ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଗଲା । ଏଠାରେ ଟେକ୍ସିଷ୍ଟାଣ୍ଡ କରାଗଲା । ଏବେ ଦୁଇବର୍ଷ ତଳେ ଗୋପାଳଜୀ ମନ୍ଦିରର ପୁନଃରୁଦ୍ଧାର କରାଗଲା ବେଳେ ସେହି ଲେଡିଜକ୍ଲବର ଜରାଜିର୍ଣ୍ଣ ବିଲଡିଂକୁ ଭାଙ୍ଗି ଦିଆଯାଇଥିଲା । ରାଜୁଡା ଅମଳରୁ ଥିବା ଏକ ନାରୀସେଚତନତାର ପରିଚୟ ଶେଷରେ ହଜିଯାଇଛି । କେତେକ ବୁଦ୍ଧିଜୀବି ଏହାକୁ ହେରିଟେଜ ବିଲଡିଂ ହିସାବରେ ପୁନଃନିର୍ମାଣ କରାଇ ସୁରକ୍ଷିତ କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତଥାପି ବଲାଙ୍ଗୀର ଅସ୍ମିତାକୁ ହଜାଇ ଦିଆଗଲା । ପୂର୍ବ ସରକାର ମିଶନଶକ୍ତି ଜରିଆରେ ମହିଳାଙ୍କୁ ସଚେତନ ଓ ସ୍ୱାବଲମ୍ବି କଥା କହୁଥିବା ବେଳେ ବର୍ତ୍ତମାନର ବିଜେପି ସରକାର ସୁଭଦ୍ରା ଯୋଜନା, କନ୍ୟାରତ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତିକରଣ କରିବାକୁ ଅଣ୍ଟା ଭିଡିଛନ୍ତି । ଦକ୍ଷତା ତାଲିମ ଦେଇ ମହିଳାଙ୍କୁ ସ୍ୱାବଲମ୍ବନ କଥା କୁହାଯାଉଛି । ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ବଲାଙ୍ଗୀର ସହରର ପଚାଶ ପ୍ରତିଶତ ହେଉଛନ୍ତି ମହିଳା । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଗତ ୯୦ ଦଶକରୁ ଜଣେ ମହିଳା ସାଂସଦ ପ୍ରତିନିଧିତ୍ୱ କରିଆସୁଛନ୍ତି । ବଲାଙ୍ଗୀର ରାଜବଂଶର ସଂଗୀତାକୁମାରୀ ସିଂଦେଓ ଏବେ ସାଂସଦ ରହିଛନ୍ତି । ଠିକ୍ ସେହିପରି ବଲାଙ୍ଗୀର ପୌରପରିଷଦରେ ଗତ ତିନିଟି ଟର୍ମ ବିଜେଡି ଦଳରୁ ତିନି ଜଣ ମହିଳା ପୌରାଧ୍ୟକ୍ଷା ରହିଆସିଛନ୍ତି । ସରକାର ମିଶନଶକ୍ତି ଭବନ ନିର୍ମାଣ କରାଉଛନ୍ତି । ଯାହାକି ବ୍ୟବହାର ମଧ୍ୟ ହେଉନାହିଁ । କିନ୍ତୁ ସୁନ୍ଦରକୁମାରୀ ଦେବୀଙ୍କ ନାମରେ ଥିବା ଏଭଳି ଏକ ପବିତ୍ର ଅନୁଷ୍ଠାନର ସୁରକ୍ଷା କଥା କେହି ମଧ୍ୟ ଚିନ୍ତା କଲେ ନାହିଁ । ବଲାଙ୍ଗୀର ସହରରେ ଏବେ ମଧ୍ୟ ମହିଳାମାନଙ୍କ ପାଇଁ ଭାବର ଅଦାନପ୍ରଦାନ ତଥା ସଚେତନତା କାର୍ଯ୍ୟକ୍ରମ ପାଇଁ କୌଣସି ସ୍ୱତନ୍ତ୍ର ଅନୁଷ୍ଠାନ ନାହିଁ । ତେଣୁ ବଲାଙ୍ଗୀରର ରାଜନେତା, ପୌରପାଳିକା, ବିଧାୟକ, ସାଂସଦ ମିଳିତ ଉଦ୍ୟମ କରି ପୁଣିଥରେ ସୁନ୍ଦରକୁମାରୀଙ୍କ ନାମରେ ସ୍ଥାପିତ ହୋଇଥିବା ସେହି ଲେଡିଜକ୍ଲବକୁ ପୁନଃନିର୍ମାଣ କରାଇବାର ଆବଶ୍ୟକତା ରହିଛି । ଅବଶ୍ୟ ବଲାଙ୍ଗୀର ସହରର ମହିଳା ସଂଗଠନମାନଙ୍କର ଏ ଦିଗରେ ପ୍ରୟାସର ଯଥେଷ୍ଟ ଆବଶ୍ୟକତା ରହିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ