







ସମ୍ବଲପୁର, ୭ ମାର୍ଚ୍ଚ (ହି.ସ.)- ବିଜେଡି ସରକାର ଅମଳରେ ରାଜ୍ୟର ବିଭିନ୍ନ ମନ୍ଦିରର ସଂସ୍କାର କାର୍ଯ୍ୟ କରାଇ କୋଟି କୋଟି ଟଙ୍କା ବ୍ୟୟ କରିଥିଲେ । ହେଲେ ରକ୍ଷଣାବେକ୍ଷଣା ଦିଗକୁ ଅଣଦେଖା କରାଯିବା ଫଳରେ ଏବେ ବିଭିନ୍ନ ପୀଠ ଶ୍ରୀହୀନ ହେବାରେ ଲାଗିଛି। ସମ୍ବଲପୁରର ଆରାଧ୍ୟ ଦେବୀ ମା ସମଲେଇଙ୍କ ପୀଠ ତଥା ସମଲେଶ୍ୱରୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାସ୍ତାଘାଟ ଠୁଁ ନେଇ ମନ୍ଦିର ପରିସରକୁ ଭଲ ଭାବରେ ସଜାଡିବା ପରେ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରିଥିଲେ । ପୂର୍ବାପେକ୍ଷା ଯାତ୍ରୀଙ୍କ ସହ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । ହେଲେ ମନ୍ଦିର ପରିସରରେ ଥିବା ଦୀପଘର ପଛପଟ ଏବେ ଏକ ଅସ୍ଥାୟୀ ମଦ ଆସରର ରୂପ ନେଇଥିବା ଘଟଣା କେବଳ ସମ୍ବଲପୁରବାସୀ ନୁହଁନ୍ତି ସମସ୍ତ ଶ୍ରଦ୍ଧାଳୁଙ୍କ ମହଲରେ ନୈରାଶ୍ୟତା ସୃଷ୍ଟି କରାଇଛି । ଯେତେବେଳେ ମନ୍ଦିରର ସୁରକ୍ଷା ପାଇଁ ଶତାଧିକ ସୁରକ୍ଷା କର୍ମୀ ନିଯୁକ୍ତି ହୋଇଛନ୍ତି ତାହା ପରେ ଏପରି ଅସାମାଜିକ କାର୍ଯ୍ୟକଳାପ ହୋଇପାରିଲା କିପରି ? ଏହା ଦିନେ କି ଦୁଇ ଦିନର ନୁହେଁ, ମାସ ମାସ ଧରି ନିୟମିତ ବ୍ୟବଧାନରେ କିଛି ମଦ୍ଯପଙ୍କ କାରନାମା ଏଠାରେ ପରିଲକ୍ଷିତ ହୋଇଛି। ମଦ ବୋତଲ, ପାଣି ବୋତଲ, ପ୍ଲାଷ୍ଟିକ୍ ଗ୍ଲାସ୍, ଚାଖେଣା, ଚାଖେଣା ଖାଇବାକୁ ପତ୍ର ଠୋଲା, ଶେଷରେ ମନବାସିଆ ଆଇଁଷ ଖାଇବାକୁ ରନ୍ଧାବଢ଼ାର ବ୍ଯବସ୍ଥାକୁ ଉଲଗ୍ନ କରାଇଛି କିଛି ଇଟାର ଚୁଲ୍ଲୀ । କାନ୍ଥ ପାଖ କୋଣରେ କବାଡ଼ିଆ ଦୋକାନକୁ ଯିବାପାଇଁ ଅପେକ୍ଷା ମୁଦ୍ରାରେ ରହିଥିବା ବସ୍ତା ବସ୍ତା ମଦବୋତଲ ଯାହା ପ୍ରମାଣିତ କରାଉଛି ତାହା କେଵଳ ପ୍ରଶାସନିକ ଅବହେଳା । ଏବେ ଏ ଦିଗରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁହିଁ ଦେଖିବାକୁ ଅପେକ୍ଷା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ