
ମାଲକାନଗିର,୦୭ ମାର୍ଚ୍ଚ(ହି.ସ.) – ମାଲକାନଗିରି ଜିଲ୍ଲା ମାଥିଲି ସବ୍ଡିଭିଜନ ମେଡ଼ିକାଲ୍ରେ ଜଳ ସଂକଟ। ବର୍ଷ ବର୍ଷ ଧରି ଲାଗି ରହିଛି ପାନୀୟ ଜଳ ଅଭାବ। ବିଭାଗୀୟ ବାବୁ ଆସି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କିଛି ପୂରଣ ହେଉନି।
ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ପାଣି ସମସ୍ୟା ନା ଟୋପେ ପିଇବା ପାଣି ମିଳୁଛି। ନା ଶୌଚାଳୟରେ ପାଣିର ବ୍ୟବସ୍ଥା ଅଛି। ଚିକିତ୍ସା ପାଇଁ ଆସି ହଇରାଣ ହେଉଛନ୍ତି ରୋଗୀ। ବିକଳ୍ପ ବ୍ୟବସ୍ଥା ନଥିବାରୁ ମାଥିଲି ସବ୍ଡିଭିଜନ ସମ୍ମୁଖରେ ଥିବା ହାତଧୁଆ ବେସିନରୁ ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ପାଇଁ ପାଣି ସଂଗ୍ରହ କରିବାକୁ ପଡ଼ୁଛି। ଦେହ ଭଲ କରିବାକୁ ଆସି ରୋଗ କିଣିନେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ମାଥିଲି ସମେତ ଖଇରପୁଟ ଓ କୁଡୁମୁଲୁଗୁମ୍ମା ଅଂଚଳର ହଜାର ହଜାର ଲୋକଙ୍କ ଭରସା ଉପଖଣ୍ଡ ଚିକିତ୍ସାଳୟ। କିନ୍ତୁ ପାନୀୟ ଜଳ ସମସ୍ୟା ସ୍ୱାସ୍ଥ୍ୟକେନ୍ଦ୍ରରେ ଶିରୋନାମା ପାଲଟିଛି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୁରୁଷ ଓ ମହିଳା ଶୌଚାଳୟରେ ପାଣି ଆସୁନି। ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଛି। ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। କିନ୍ତୁ ଜଳ ଓ ପରିମଳ ବିଭାଗର ଖାମଖିଆଲ ନୀତି ଯୋଗୁ ଆଜି ପାଣି ପାଇଁ ହନ୍ତସନ୍ତ ରୋଗୀ! ଯାହାକୁ ମାନିଛନ୍ତି ଖୋଦ ମାଥିଲି ଡାକ୍ତର।
ଡାକ୍ତରଖାନା ଭଳି ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କାହିଁକି ନାହିଁ? ସ୍ୱାସ୍ଥ୍ୟ ଭିତିଭୂମି ସଜାଡ଼ିବାକୁ ଆସୁଥିବା ଟଙ୍କା ଖର୍ଚ୍ଚ ହେଉଛି କେଉଁଠି? ଏପରି ସାଂଘାତିକ ଅବହେଳା ପାଇଁ ଦାୟୀ କିଏ? ପାନୀୟ ଜଳ ସଙ୍କଟର ଚିତ୍ର ଦେଖିଲା ପରେ ଲାଗୁଛି ସ୍ୱାସ୍ଥ୍ୟସେବା ନାଁ ସରକାର କହୁଥିବା ପ୍ରତ୍ୟେକଟି କଥା କେବଳ ଭାଷଣ ମାତ୍ର।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ