ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି
ମହିଳାଙ୍କ ନେତୃତ୍ବରେ ବିକାଶକୁ ନେଇ ଆୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ ଉଦଘାଟନୀ ସମାରୋହ ପରେ ଅନୁଷ୍ଠିତ ହେବ ଦୁଇଟି ଆଲୋଚନାଚକ୍ର ନୂଆଦିଲ୍ଲୀ, 07 ମାର୍ଚ୍ଚ (ହି.ସ.) ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଆୟୋଜନ କରାଯାଉଛି। ମାନ
ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି


ମହିଳାଙ୍କ ନେତୃତ୍ବରେ ବିକାଶକୁ ନେଇ ଆୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ

ଉଦଘାଟନୀ ସମାରୋହ ପରେ ଅନୁଷ୍ଠିତ ହେବ ଦୁଇଟି ଆଲୋଚନାଚକ୍ର

ନୂଆଦିଲ୍ଲୀ, 07 ମାର୍ଚ୍ଚ (ହି.ସ.) ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଆୟୋଜନ କରାଯାଉଛି। ମାନେକଶା କେନ୍ଦ୍ରଠାରେ ଆୟୋଜନ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ସମାରୋହକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ହେବ।

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳିତ ହେଉଥିବା ଅନ୍ତର୍ଜାତୀୟ ମହିଳା ଦିବସ, ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଏବଂ ଅବଦାନକୁ ସମ୍ମାନ ଜଣାଏ ଏବଂ ଲିଙ୍ଗଗତ ସମାନତା, ସୁରକ୍ଷା, ମର୍ଯ୍ୟାଦା ତଥା ମହିଳା ସଶକ୍ତିକରଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଥାଏ।

ଆସନ୍ତା କାଲି କାର୍ଯ୍ୟକ୍ରମଟି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅନିଲ ମଲ୍ଲିକଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହେବ, ଯାହା ପରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ କାର୍ଯ୍ୟବଳ ଅଂଶଗ୍ରହଣ ବୃଦ୍ଧି ଏବଂ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ପ୍ରମୁଖ ସରକାରୀ ନୀତି ଓ ଯୋଜନାଗୁଡ଼ିକୁ ପ୍ରଦର୍ଶିତ କରୁଥିବା ଏକ ଦୃଶ୍ୟ-ଶ୍ରାବ୍ୟ ବିବରଣୀ ଉପସ୍ଥାପନା କରାଯିବ।

ଏହି ଅବସରରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଭିଭାଷଣ ପ୍ରଦାନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ଏବଂ ଦେଶରେ ମହିଳାଙ୍କ ନେତୃତ୍ୱରେ ବିକାଶକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିବେ।

ଉଦ୍ଘାଟନୀ ସମାରୋହ ପରେ ଦୁଇଟି ପ୍ୟାନେଲରେ ଆଲୋଚନା ଜାରି ରହିବ। ପ୍ରଥମ ପ୍ୟାନେଲ୍ ଆଲୋଚନା “ଶ୍ରମ ସଂହିତା - ମହିଳାଙ୍କ ସଶକ୍ତିକରଣ ବୃଦ୍ଧି” ଉପରେ କେନ୍ଦ୍ରିତ ରହିବ, ଏବଂ ଦ୍ୱିତୀୟ ପ୍ୟାନେଲ୍ “ଉଦ୍ୟୋଗୀ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା” ବିଷୟରେ ଆଲୋଚନା କରିବ।

ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ, ପୋଲିସ, ଗଣମାଧ୍ୟମ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରତିନିଧିଙ୍କ ସମେତ ୧୫୦ରୁ ଅଧିକ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରୁ ପ୍ରାୟ ୧,୦୦୦ ମହିଳା ଯୋଗଦେବେ ବୋଲି ଆଶା କରାଯାଉଛି, ଯାହା ଦେଶର ବିବିଧ କ୍ଷେତ୍ରରେ ମହିଳାଙ୍କ ଅବଦାନ ଏବଂ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଆଗକୁ ନେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande