
କେନ୍ଦୁଝର,୦୭ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ର ପୁଟୁଳିଆ ଠାରେ ଆଜି ଏକ ଜାଳକାଠ ଡିପୋର ଶୁଭ ଉଦ୍ଘାଟନ ହୋଇଯାଇଛି। ସ୍ଥାନୀୟ ଅଂଚଳରେ କାଠ ଆଣିବା-ନେବା ଓ ବିକ୍ରୟ କାର୍ଯ୍ୟକୁ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଜାଳ କାଠ ଡିପୋ ଖୋଲାଯାଇଥିବା ଜଣାପଡ଼ିଛି। ଏହି ଅବସରରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଓ ପାଟଣା ବିଧାୟକ ଅତିଥି ଭାବେ ଯୋଗଦେଇ ଡିପୋଟିର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ପାଟଣା ବନାଂଚଳ ଅଧିକାରୀ ବନବିହାରୀ ସର୍ଦାର, ତହସିଲଦାର ଅଶ୍ୱନୀ କୁମାର ନାଏକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଫରେଷ୍ଟର ନିରଞ୍ଜନ ସେଠୀ ଓ ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ମଧୁସୂଦନ ମହାନ୍ତ ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ଉଦ୍ୱୋଧନରେ କହିଥିଲେ ଯେ, ଏହି ଜାଳ କାଠ ଡିପୋ ଚାଲୁ ହେବା ଫଳରେ ସ୍ଥାନୀୟ ଲୋକମାନେ ଓ କାଠ ବ୍ୟବସାୟୀମାନେ ଅନେକ ସୁବିଧା ପାଇପାରିବେ। ଏହାଦ୍ୱାରା ବନ ବିଭାଗର ନିୟମ ଅନୁସାରେ ଜାଳକାଠ ବିକ୍ରୟ ଓ ବ୍ୟବସ୍ଥାପନା ସୁଚାରୁ ଭାବେ ହେବ ବୋଲି ମତ ପ୍ରକାଶ କରାଯାଇଥିଲା। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଲୋକ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA